ଲୁଲଙ୍ଗ ପଞ୍ଚାୟତର ବୈଠକ: ଜଳ,ଶିକ୍ଷା ଓ ବାର୍ଦ୍ଧକ୍ୟ ଭତା ଉପରେ ଗୁରୁତ୍ବ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ୍‌ ଅନ୍ତର୍ଗତ ଲୁଲଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଆଜି ମାସିକ ବୈଠକରେ ଜଳ, ଶିକ୍ଷା ଓ ବାର୍ଦ୍ଧକ୍ୟ ଭତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦଳବେହେରାଙ୍କ ଆହ୍ବାନ କ୍ରମେ ସରପଞ୍ଚ ଯୁଧିଷ୍ଠିର ପ୍ରଧାନଙ୍କ ସଭାପତିତ୍ବରେ ବୈଠକ ଆରମ୍ଭ ହୋଇଥିବା ବେଳେ ସମିତିସଭ୍ୟ ପ୍ରଣବ କୁମାର ଦେବ, ନାଏବ ସରପଞ୍ଚ ରାଧିକା କିସାନ ସମେତ ଏଗାର ଜଣ ୱାର୍ଡ ମେମ୍ବର ଯୋଗ ଦେଇଥିଲେ।

ୱାର୍ଡ ମେମ୍ବର ମାନେ ନିଜ ନିଜ ୱାର୍ଡର ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଜଙ୍ଗଲ ଜମି, ପିଡିଏସ୍‌ ଚାଉଳ ଓ ବାର୍ଦ୍ଧକ୍ୟ ଭତା ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏଥିସହିତ ଏହି ସମସ୍ୟାର ସମାଧାନ ଖୁବ ଶୀଘ୍ର କରିବାକୁ ସରପଞ୍ଚ ଓ ସମିତିସଭ୍ୟ ବୈଠକରେ ଗୁରୁତ୍ୱ ଦେଇଥିଲେ। ଗ୍ରାମ ପଞ୍ଚାୟତ ର ସର୍ବାଙ୍ଗୀନ ବିକାଶ ନିମନ୍ତେ ପଞ୍ଚାୟତ ପ୍ରଶାସନକୁ ସହଯୋଗ ନିମନ୍ତେ ସମସ୍ତ ୱାର୍ଡ ମେମ୍ବର ମାନଙ୍କୁ ସରପଞ୍ଚ ଆହ୍ବାନ କରିଥିଲେ।