ଅପହଞ୍ଚ ଇଲାକାରେ ସ୍ୱାସ୍ଥ୍ୟକର୍ମୀ, ୪ ଘଣ୍ଟା ଚାଲିବା ପରେ ଯୋଗାଇଲେ ସ୍ୱାସ୍ଥ୍ୟସେବା

ମାଲକାନଗିରି, ଏନ୍ଏନ୍ଏସ୍: ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇଛି ସ୍ୱାସ୍ଥ୍ୟ ବିଭାଗ। ଏଥିପାଇଁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରାୟ ୪ ଘଣ୍ଟା ପାହାଡ଼ିଆ ରାସ୍ତା ଚାଲିବାକୁ ପଡିଥିଲା। ମାଲକାନଗିରି ଜିଲ୍ଲା ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା.ଅମୀୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ମ୍ୟାଲେରିଆ ଟେକନିକାଲ ସୁପରଭାଇଜର ଅମୂଲ୍ୟରତ୍ନ ଷଡ଼ଙ୍ଗୀ, ସୁପରଭାଇଜର ହରେକୃଷ୍ଣ ପତିକ, ଏଏନଏମ ଶାନ୍ତି ଦଳେଇ, ଅଙ୍ଗନୱାଡ଼ି କର୍ମୀ ଏଥିରେ ସାମିଲ ଥିଲେ। ଏହି ଦଳ ଦୀର୍ଘ ୪ ଘଣ୍ଟା ଚାଲି ଚାଲି ପାହାଡ଼ିଆ ଜଙ୍ଗଲ ରାସ୍ତାରେ ନଈନାଳ ପାର ହୋଇ ଶେଷରେ ଦଣ୍ଡିପଦର ଗ୍ରାମରେ ପହଞ୍ଚିଥିଲେ।

ରୋଗ ହେଲେ ଚିକିତ୍ସାଳୟକୁ ଯିବାକୁ ବହୁ କଷ୍ଟ କରିବାକୁ ପଡ଼ିଥାଏ ଏହି ଗ୍ରାମବାସୀଙ୍କୁ। ତେଣୁ ଏହାକୁ ହୃଦବୋଧ କରି ସ୍ୱାସ୍ଥ୍ୟକର୍ମୀଦଳ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିରେ ମ୍ୟାଲେରିଆ, ନିମୋନିଆ, ହିମୋଗ୍ଲୋବିନ ଆଦି ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲା ସେମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଆସିବାକୁ ପରାମର୍ଶ ଦିଆଯାଇଥିଲା । ବହୁ ଲୋକଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଦୁର୍ଗମ ଓ ଅପହଞ୍ଚ ଗ୍ରାମର ଲୋକଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏଭଳି ପ୍ରୟାସ କରାଯାଉଥିବା ଡ.ସ୍ୱାଇଁ କହିଛନ୍ତି।