ରାସ୍ତାକଡ଼ ବେଆଇନ ମାଂସ ଦୋକାନ ଉଚ୍ଛେଦ ଦାବି କଲା ବିଜେପି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ସହରାଞ୍ଚଳରେ ରାସ୍ତା କଡ଼ରେ ବେଆଇନ ଭାବରେ ଗଢ଼ି ଉଠିଥିବା ମାଂସ ଦୋକାନକୁ ଉଚ୍ଛେଦ କରିବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ବିଜେପି ପକ୍ଷରୁ ପୌର ପରିଷଦ କର୍ତୃପକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ବେଆଇନ ମାଂସ ବିକ୍ରି ଉପରେ ରୋକ ଲାଗାଇବା ପାଇଁ କୁହାଯାଇଛି। ଉଚ୍ଚତମ ନ୍ୟାୟାଳୟ ରାସ୍ତା କଡ଼ରେ ମାଂସ ବିକ୍ରିକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଥିବା ସତ୍ୱେ ଝାରସୁଗୁଡ଼ାରେ ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଥିବା ବିଜେପି ପକ୍ଷରୁ କୁହାଯାଇଛି । ପୌରପରିଷଦ କର୍ତୃପକ୍ଷ ବା ଜିଲ୍ଲା ପ୍ରଶାସନ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଦିନକୁଦିନ ରାସ୍ତାକଡ଼ରେ ବେଆଇନ ମାଂସ ଦୋକାନ ବଢ଼ିବାରେ ଲାଗିଛି ଏବଂ ସହରର ପରିବେଶ ପ୍ରଦୂଷିତ ହେଉଛି। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ ହେବାସହ ଲୋକଙ୍କୁ କୁକୁଡ଼ା, ଖାସିର ରକ୍ତ ଉପରେ ଯାତାୟାତ କରିବାକୁ ପଡୁଛି। ତେଣୁ ପ୍ରଶାସନ ପକ୍ଷରୁ ଶୀଘ୍ର ପଦକ୍ଷେପ ଗ୍ରହଣ କରି ୧୫ ଦିନ ମଧ୍ୟରେ ବିଟିଏମ୍, କବ୍ରସ୍ତାନପଡ଼ା, ମଙ୍ଗଳବଜାର, ବୁରୋମାଲ, ବେହେରାମାଲ, ସରବାହାଲ, କାଳୀ ମନ୍ଦିର ତଥା ସହରର ଅନ୍ୟ ସ୍ଥାନର ରାସ୍ତାକଡ଼ରେ ଖୋଲାଖୋଲି ଭାବରେ ବିକ୍ରି ହେଉଥିବା ମାଂସ ଦୋକାନଗୁଡ଼ିକୁ ବନ୍ଦ କରାଯାଉ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ସେହିପରି ଯେଉଁମାନେ ବେଆଇନ ଭାବରେ ଜୀବ ହତ୍ୟାରେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ କରାଯାଉ। ମାଂସ ବିକ୍ରି ପାଇଁ ଆବଶ୍ୟକ ସ୍ଥାନର ବ୍ୟବସ୍ଥା କରାଯିବା ସହ କେବଳ ଅନୁମତିପ୍ରାପ୍ତ ଦୋକାନୀ ମାଂସ ବିକ୍ରି କରନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ତେବେ ୧୫ ଦିନ ମଧ୍ୟରେ ପଦକ୍ଷେପ ନନେଲେ ଆନ୍ଦୋଳନ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଅବସରରେ ବରିଷ୍ଠ ନେତା ଦିନେଶ ଜୈନ, ବିଜୁ ଷଡ଼ଙ୍ଗୀ, ପ୍ରଶାନ୍ତ ମହାରଣା, ଦିନେଶ ଉପାଧ୍ୟାୟ, ନଳିନୀ ପ୍ରଧାନ, ନୀଳାମ୍ବର ଡନସେନା, ଡିଲେଶ୍ୱର ରାଓ, ଗୋପାଳ ପଟେଲ ପ୍ରମୁଖଙ୍କ ସହ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।