ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ରଚେଷ୍ଟାରେ ବୃଦ୍ଧଙ୍କୁ ଥଇଥାନ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ଚମ୍ପାଖାରୀର ଜଣେ ଅସହାୟ ବୃଦ୍ଧଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଟା ଫଳରେ ଥଇଥାନ କରାଯାଇଛି। ସମ୍ପୃକ୍ତ ବୃଦ୍ଧ ଜଣକ ମାଲକାନଗିରି ସହରରେ ଭୋକ ଉପାସରେ ବୁଲୁଥିବା ବେଳେ ସ୍ୱେଚ୍ଛାସେବୀ ସଂସ୍ଥା ଟିମ ୱି -କେନର ସଦସ୍ୟ ମାନସ ରଞ୍ଜନ ସୁନା ବୃଦ୍ଧଙ୍କ ଅବସ୍ଥା ଦେଖି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସ୍ୱେଚ୍ଛାସେବୀ ରଞ୍ଜନ କୁମାର ସ୍ୱାଇଁଙ୍କୁ ଜଣାଇଥିଲେ। ପରେ ଟିମ ୱି-କେନର ସଦସ୍ୟଙ୍କ ଜରିଆରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ନିରନ୍ତର ଲୋକ ଅଦାଲତର ବିଚାରପତି ଅମରେଶ ନାୟକଙ୍କ ପାଖକୁ ଆଣିଥିଲେ। ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ସହ ମାନସିକସ୍ତରରେ ମଧ୍ୟ ଅସୁସ୍ଥ ଥିବାର ଲକ୍ଷ୍ୟ କରାଯାଇଥିଲା। ଏଣୁ ତାଙ୍କୁ ପ୍ରଥମେ ଖାଦ୍ୟ ଓ ପାନୀୟ ଦିଆଯାଇ ଚିକିତ୍ସା କରାଯାଇଥିଲା। ଏଥିସହିତ ସଚିବ ଶ୍ରୀ ନାୟକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟକୁ ପଠାଇ ଯଥାଶ୍ରୀଘ୍ର ବୃଦ୍ଧଙ୍କ ଥଇଥାନ କରି ତାଙ୍କୁ ଆଶୁ ଚିକିତ୍ସା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଆଦେଶ ଦେଇଛନ୍ତି।