ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଖଣି ପରିଦର୍ଶନ କଲେ ଏମସିଏଲ ସିଏମଡି, ଡାକ୍ତର ପଦବୀ ପୂରଣ ହେବ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମହାନଦୀ କୋଲଫିଲ୍ଡ ଲିମିଟେଡର ସିଏମଡି ପ୍ରଭାତ କୁମାର ସିହ୍ନା ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଖଣି ଅଂଚଳ ପରିଦର୍ଶନ କରିଛନ୍ତି। ଶ୍ରୀ ସିହ୍ନା ପ୍ରଥମେ ଇବଭ୍ୟାଲି ଖଣି କ୍ଷେତ୍ରର ସମଲେଶ୍ୱରୀ ଓ ଲଜକୁରା ଖଣି ପରିଦର୍ଶନ କରିଥିଲେ। ସେଠାରୁ ପୁଣି ଲଖନପୁର ଖଣିକ୍ଷେତ୍ର ଅନ୍ତର୍ଗତ ଲଖନପୁର କ୍ୱାରୀ ନମ୍ୱର ୫ ଓ ବିଓସିଏମ ଖଣି ଅନ୍ତର୍ଗତ ଦର୍ଲିପାଲିସ୍ଥିତ କ୍ୱାରୀ ନମ୍ୱର ୨ ପରିଦର୍ଶନ କରି କୋଇଲା ଉତ୍ପାଦନ ଓ ରତ୍ପାନୀକୁ ଆହୁରି ବୃଦ୍ଧି କରିବା ଦିଗରେ ଏମସିଏଲ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ବନ୍ଧବାହାଲସ୍ଥିତ ତ୍ରିବେଣୀ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଏମଡି ଶ୍ରୀ ସିହ୍ନା ଅନ୍ୟ ଏମସିଏଲ ଅଧିକାରୀଙ୍କ ସହିତ ଉପସ୍ଥିତ ରହି ଖଣି ବିସ୍ଥାପିତ, କ୍ଷତିଗ୍ରସ୍ତଙ୍କ ନିଯୁକ୍ତି, କ୍ଷତିପୂରଣ, ଥଇଥାନ ସମସ୍ୟା, ବନ୍ଧବାହାଲସ୍ଥିତ ଏମସିଏଲ ଡାକ୍ତରଖାନାରେ ଖାଲି ଥିବା ଡାକ୍ତର ପଦବୀ ସମସ୍ୟା, ଏକ ଅତ୍ୟାଧୁନିକ ଷ୍ଟାଡିୟମ୍ ନିର୍ମାଣ, ଗରାଖାଇ ଚେକ ଡ୍ୟାମ୍ ସମସ୍ୟା ଉପରେ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।

       ଏହି ଅବସରରେ ଡାଇରେକ୍ଟର (ଟେକ୍ନିକାଲ ଅପରେସନ) ଓମ୍ ପ୍ରକାଶ ସିଂହ କହିଥିଲେ ଚଳିତ ବର୍ଷ କରୋନା ମହାମାରୀ କାଳରେ ମଧ୍ୟ ୧୭ ପ୍ରତିଶତ କୋଇଲା ଉତ୍ପାଦନ ଓ ୧୩ ପ୍ରତିଶତ ରତ୍ପାନୀ ବୃଦ୍ଧି ପାଇଛି। ସେହିପରି ଲଖନପୁର ଜିଏମ ଅନିଲ ସିଂହ କହିଛନ୍ତି କୋଇଲା ପରିବହନ ପାଇଁ ନିୟୋଜିତ ଏକ ପେପ୍ ସଂସ୍ଥା ପକ୍ଷରୁ ବିଭିନ୍ନ ଜାଲ କାଗଜପତ୍ର ଉପସ୍ଥାପନ କରି ଲକ୍ଷ ଲକ୍ଷ ଟଙ୍କା ଅତ୍ମସାତ କରିଥିବା ଅଭିଯୋଗ ପ୍ରମାଣିତ ହେବା ପରେ ଏମସିଏଲ ପକ୍ଷରୁ ଆଇନ ଗତ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଏଥିରେ ଯଦି କେହି ଏମସିଏଲ ଅଧିକାରୀ ମଧ୍ୟ ସମ୍ପୃକ୍ତ ଥିବେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ ଜିଲ୍ଲାରୁ ଗତ ୭ ତାରିଖ କେବଳ ଗୋଟିଏ ଦିନରେ ସର୍ବାଧିକ ୯୭ ରେକ୍ କୋଇଲା ରତ୍ପାନୀ ହୋଇଥିବାବେଳେ ଏଥିରେ କେବଳ ଲଖନପୁର ଖଣି କ୍ଷେତ୍ରରୁ ୨୧ ରେକ୍ ରତ୍ପାନୀ ହୋଇଥିବା ଏମସିଏଲ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଏମସିଏଲର ଅନ୍ୟ ଅଧିକାରୀଙ୍କ ମଧ୍ୟରୁ ଜିଏମ୍ (ପିଆର ଆଣ୍ଡ ଆଇଆର) ଆରଏଲ ଖାଟୀକ, ଲଖନପୁର ଖଣି କ୍ଷେତ୍ରର ଜିଏମ ଅନିଲ ସିଂହ, ଇବ ଭ୍ୟାଲି କ୍ଷେତ୍ରର ଜିଏମ୍ ଅନୱର ହୁସେନ, ଜିଏମ୍ ସିଭିଲ ପିକେ ଚକ୍ରବର୍ତ୍ତୀ, ଜିଏମ(ସେଲ୍ସ) ଏକେ ଗୁପ୍ତା, ଜିଏମ ଏସ୍କାଭେସନ ଏକେ ଶତପଥୀ, (ଜିଏମ ପିପି) ଏମ୍ଏସ୍ ଶର୍ମା, ଜିଏମ (ଏନଭରମେଣ୍ଟ) ନିରଜ କାର୍ଲା ପ୍ରମୁଖ ସାମିଲ ରହିଥିଲେ।