ନୂଆଦିଲ୍ଲ,ଏଜେନ୍ସି: ବୁଧବାର ଦିନ ଟେକ୍ସାସ୍ର ଏକ ରକେଟ୍ ସଫଳ ପରୀକ୍ଷାମୂଳକ ଉତକ୍ଷେପଣ କରାଯିବା ପରେ ଅବତରଣ ସମୟରେ ‘ସ୍ପେସଏକ୍ସ୍’ର ପ୍ରୋଟୋଟାଇପ୍ ରକେଟ୍ ‘ଷ୍ଟାରସିପ୍’ର ବିସ୍ଫୋରଣ ଘଟିଛି। ଭବିଷ୍ୟତରେ ଛଅ ମହଲା ଅଟ୍ଟାଳିକା ଉଚ୍ଚତାବିଶିଷ୍ଟ ‘ସ୍ପେସଏକ୍ସ’ର ‘ଷ୍ଟାରସିପ୍’ ନାମକ ଏହି ରକେଟ୍ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ଅଭିଯାନରେ ବ୍ୟବହୃତ ହେବ। ଏଥିରେ ମଣିଷ ସହ ୧୦୦ ଟନ୍ ଓଜନର ବିଭିନ୍ନ ସାମଗ୍ରୀ ପରିବହନ କରାଯାଇ ପାରିବ ବୋଲି ଏଲନ୍ ମସ୍କଙ୍କ ଘରୋଇ ମହାକାଶ କମ୍ପାନୀ ‘ସ୍ପେସଏକ୍ସ୍’ ଯୋଜନା କରିଛି। ବୁଧବାର ଦିନ ଏହି ‘ସେଲଫ୍-ଗାଇଡେଡ୍’ ରକେଟ୍ ‘ଷ୍ଟାରସିପ୍’ ଆକାଶକୁ ଉଠି ପୁଣି ଧୀରେ ଧୀରେ ‘ଲ୍ୟାଣ୍ଡିଙ୍ଗ୍ ପ୍ୟାଡ୍’ରେ ଅବତରଣ କରିଥିଲା। କିନ୍ତୁ, କ୍ରାସ୍ ଲ୍ୟାଣ୍ଡିଙ୍ଗ୍ ଯୋଗୁଁ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।
‘ସ୍ପେସଏକ୍ସ’ ଦ୍ୱାରା ନୂତନ ବିକଶିତ ‘ରାପ୍ଟର୍ ଇଞ୍ଜିନ୍’ ସହାୟତାରେ ପ୍ରଥମ ଥର ପାଇଁ ଉତକ୍ଷେପିତ ଏହି ରକେଟ୍ ୪୧,୦୦୦ ଫୁଟ୍ ଉଚ୍ଚକୁ ଉଠିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ, ରକେଟଟି ନିର୍ଦ୍ଧାରିତ ଉଚ୍ଚତାକୁ ଯାଇଥିଲା କି, ନାହିଁ ସୁନିଶ୍ଚିତ ହୋଇପାରିନାହିଁ। ରକେଟ୍ ବିସ୍ଫୋରଣ ଘଟଣା ପରେ ‘ଏଲନ୍ ମସ୍କ୍’ ତୁରନ୍ତ ଟୁଇଟ୍ କରି ସୂଚନା ଦେଇଥିଲା ଯେ, ଅବତରଣ ସମୟରେ ‘ଫୁଏଲ୍ ହେଡର୍ ଟ୍ୟାଙ୍କ୍’ର ନିମ୍ନଚାପ କାରଣରୁ ଅବତରଣ ବେଗ ବୃଦ୍ଧି ହୋଇ ରକେଟ୍ କ୍ରାସ୍ ଲ୍ୟାଣ୍ଡିଙ୍ଗ୍ କରିଛି।