ପେଟ୍ରୋଲ-ଡିଜେଲ ଦରବୃଦ୍ଧିକୁ ନେଇ ସୋନିଆ ଅସନ୍ତୋଷ, ମୋଦୀଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ, ଡିଜେଲ ଦର ଲଗାତାର ଭାବେ ବଢ଼ିବାରେ ଲାଗିଛି। ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ତୈଳ ଦର ହ୍ରାସ କରିବାକୁ ଦାବି କରିଛନ୍ତି। ଚିଠିରେ ସେ ଲେଖିଛନ୍ତି କି, ଦେଶ କରୋନା ସଙ୍କଟ ଦେଇ ଗତି କରୁଥିବାବେଳେ ସରକାରଙ୍କ ଏହି ନିଷ୍ପତ୍ତି ସମ୍ବେଦନଶୀଳ ନୁହେଁ। ସରକାର ପେଟ୍ରୋଲ, ଡିଜେଲର ଦର ବଢ଼ାଇ ୨ଲକ୍ଷ ୬୦ ହଜାର କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ଜୁଟାଇବାର ପ୍ରୟାସ କରୁଛନ୍ତି। ସରକାର ଲୋକଙ୍କୁ ଆତ୍ମନିର୍ଭର କରାଇବାକୁ ଚାହୁଁଥିବାବେଳେ ସଙ୍କଟ କାଳରେ ବିତ୍ତୀୟ ବୋଝ ପକାଇବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

କଂଗ୍ରେସ ଅଧ୍ୟକ୍ଷା ଆହୁରି କହିଛନ୍ତି କି, ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି କଠିନ ସମୟ ମଧ୍ୟରେ ସରକାର ଏପର୍ଯ୍ୟନ୍ତ ୧୦ଥର ତୈଳଦର ବୃଦ୍ଧି କରିସାରିଲେଣି। ବର୍ତ୍ତମାନ ସମୟରେ ଲୋକେ ସ୍ୱାସ୍ଥ୍ୟ, ଆର୍ଥିକ ଓ ସାମାଜିକ ସମସ୍ୟା ଦେଇ ଗତି କରୁଥିବା ବେଳେ ସରକାରଙ୍କର ତୈଳଦର ବୃଦ୍ଧି ନିର୍ଣ୍ଣୟ ଆଦୌ ଯୁକ୍ତିଯୁକ୍ତ ନୁହେଁ। ଅର୍ନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲର ଦର ପାଖାପାଖି ୯ ପ୍ରତିଶତ କମିଥିବା ବେଳେ ସରକାର ଏହାର ଲାଭ ଉଠାଇବା ପାଇଁ କିଛି କରୁନାହାନ୍ତି।

ସୂଚନାଯୋଗ୍ୟ, ତୈଳ କମ୍ପାନୀ ଦ୍ୱାରା ମଙ୍ଗଳବାର ପେଟ୍ରୋଲ ଲିଟର ପିଛା ୪୭ ଓ ଡିଜେଲ ଲିଟର ପିଛା ୯୭ ପଇସାକୁ ବୃଦ୍ଧି ପାଇଛି। ଏଥିସହିତ ବିମାନ ଇନ୍ଧନର ଦର ମଧ୍ୟ ୧୬. ୩ ପ୍ରତିଶତକୁ ବୃଦ୍ଧି ପାଇଛି।