ପୈତୃକ ଗାଁ’ରେ ସମ୍ପର୍ଣ୍ଣ ହେଲା ସହିଦ ନୁଦୁରାମ ସୋରେନଙ୍କ ଶେଷକୃତ୍ୟ

ମୟୂରଭଞ୍ଜ,ଏନ୍ଏନ୍ଏସ୍: ମୟୂରଭଞ୍ଜ ବିଜାତଳା ବ୍ଲକ ବଡ଼ ଚମ୍ପାଉଦା ଗାଁରେ ସହିଦ ସୁବେଦାର ନୁଦୁରାମ ସୋରେନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ରାତି ୩ ଟାରେ ସହିଦଙ୍କ ମରଶରୀର ରାଇରାଙ୍ଗପୁର ସହରରେ ପହଞ୍ଚିଥିଲା। ଆଜି ସକାଳୁ ଏକ ବିଶାଳ ରାଲିରେ ସହିଦଙ୍କ ମରଶରୀରକୁ ବଡ଼ ଚମ୍ପାଉଦା ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ସମୟରେ ସାରା ଗାଁ ନୁଦୁରାମ ଅମର ରହେ ଶବ୍ଦରେ ଗ୍ରାମ କମ୍ପି ଉଠିଥିଲା।

ସହିଦଙ୍କ ସମ୍ମାନ ଉଦ୍ଦେଶ୍ୟରେ ତୋପ ସଲାମୀ ଦିଆଯିବା ପରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ରାଜନେତା ସମସ୍ତେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ସମୟରେ ବିହାର ରେଜିମେଣ୍ଟ ଅଫିସରଙ୍କ ସହ ସେନାର ବଡ ଅଧିକାରୀ ସାମିଲ୍ ହୋଇଥିବା ବେଳେ ସମ୍ପର୍କୀୟ ମୁଖାଗ୍ନି ଦେଇଥିଲେ।