ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ଭାରତୀୟ ସେନାକୁୁ ବଡ଼ ଧରଣର ସଫଳତା ମିଳିଛି। ଏହି ଦୁଇଟି ଏନକାଉଣ୍ଟରରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପ୍ରଥମ ଏନକାଉଣ୍ଟର ଗୁରୁବାର ପାମ୍ପୋରରେ ଆରମ୍ଭ ହୋଇଥିଲା। ସୁରକ୍ଷାବଳଠାରୁ ବଂଚିବା ପାଇଁ ଆତଙ୍କବାଦୀମାନେ ଏକ ମସଜଜିଦରେ ଲୁଚି ଯାଇଥିଲେ। ମସଜିଦରେ ଲୁଚି ରହିଥିବା ୨ ଆତଙ୍କବାଦୀଙ୍କ ସମେତ ପାମ୍ପୋରରେ ୩ ଜଣଙ୍କର ମତ୍ୟୁ ଘଟିଥିଲା। ଅନ୍ୟପଟେ କାଶ୍ମୀରର ସୋପିୟାଁର ମୁନନ୍ଦରେ ଏକନାଉଣ୍ଟର ସମୟରେ ୫ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।
ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଅପରେସନ ଗୁରୁବାରଠାରୁ ଆରମ୍ଭ ହୋଇ ଦିନ ତମାମ ଜାରି ରହିଥିଲା। ଜଣେ ଅଧିକାରୀଙ୍କ କହିବା ମୁତାବକ, ଦକ୍ଷିଣ କାଶ୍ମୀରର ପୁଲୱାମାର ପାମ୍ପୋରରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା। ପରେ ସେହି ଅଞ୍ଚଳକୁ ଖାଲି କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା।
ସୂଚନା ଅନୁସାରେ, ଆତଙ୍କବାଦୀମାନେ ନିଜକୁ ବଂଚାଇବା ପାଇଁ ପ୍ରଥମେ ଗୁଳିଚାଳନା ଆରମ୍ଭ କରିଥିଲେ। ପରେ ଭାରତୀୟ ସେନା ସେମାନଙ୍କୁ ଦୃଢ଼ ଜବାବ ଦେଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଉକ୍ତ ଅଂଚଳରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି।