ଚାଷୀ ଆନ୍ଦୋଳନ: କୃଷି ସଂଗଠନ ପକ୍ଷରୁ ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ,ଏଜେନ୍ସି: କୃଷି ଆଇନକୁ ବିରୋଧରେ ପୁଣି ଥରେ କୃଷି ସଂଗଠନ ପକ୍ଷରୁ ମାର୍ଚ୍ଚ ୨୬ ତାରିଖରେ ସମ୍ପୂର୍ଣ୍ଣ ଭାରତ ବନ୍ଦ ଡାକରା ଦିଆଯାଇଛି। ଏନେଇ କୃଷକ ମୋର୍ଚ୍ଚାର ଡ. ଦର୍ଶନ ପାଲ ଏହି ସୂଚନା ଦେଇଛନ୍ତି। ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ବୈଠକରେ ପରବର୍ତ୍ତୀ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି ମଧ୍ୟରେ ମାର୍ଚ୍ଚ ୧୫ ତାରିଖରେ ବ୍ୟବସାୟୀ ବିରୋଧ ଦିବସ ପାଳନ କରାଯିବ। ଯେଉଁଥିରେ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ୍ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର ବଢ଼ୁଥିବା ଦରର ପ୍ରତିବାଦ କରାଯିବ। ଏହି ଦିନ ସମଗ୍ର ରେଳ ଷ୍ଟେସନରେ ଶ୍ରମିକ ସଂଗଠନ ବିରୋଧ ପ୍ରଦର୍ଶନ କରିବେ। ଏହି କ୍ରମରେ ମାର୍ଚ୍ଚ ୧୭ ତାରିଖରେ ଶ୍ରମିକ ସଂଗଠନ ଓ ଅନ୍ୟ ସଂଗଠନ ସହିତ ମାର୍ଚ୍ଚ ୨୬ ତାରିଖରେ ପ୍ରସ୍ତାବିତ ଭାରତ ବନ୍ଦକୁ ସଫଳ କରିବା ପାଇଁ ଏକ ବୈଠକ ଆୟୋଜନ ହେବ।
ସଂଯୁକ୍ତ କୃଷକ ମୋର୍ଚ୍ଚାର ବୟାନ ଅନୁସାରେ, ମାର୍ଚ୍ଚ ୧୯ ତାରିଖରେ ଏଫସିଆଇ ଓ ଚାଷ ଜମି ବଞ୍ଚାଇବା କାର୍ଯ୍ୟକ୍ରମ ମଧ୍ୟରେ ଦେଶର ମଣ୍ଡିଗୁଡ଼ିକରେ ବିରୋଧ ପ୍ରଦର୍ଶନ କରାଯିବ। ମାର୍ଚ୍ଚ ୨୩ରେ ଭଗତ ସିଂ ସହିଦ ଦିବସ ଅବସରରେ ଦେଶର ଯୁବକମାନେ ଦିଲ୍ଲୀ ସୀମାରେ ହେଉଥିବା ଚାଷୀ ଆନ୍ଦୋଳନରେ ସାମିଲ ହେବେ। ସେହିପରି ମାର୍ଚ୍ଚ ୨୬ରେ ଏହି ଆନ୍ଦୋଳନକୁ ୪ ମାସ ପୂରୁଥିବାରୁ ସମ୍ପୂର୍ଣ୍ଣ ଭାରତ ବନ୍ଦ କରାଯିବ। ମାର୍ଚ୍ଚ ୨୮ରେ ହୋଲି ଦହନରେ କୃଷି ବିରୋଧୀ ଆଇନକୁ ଜଳାଯିବ।