ମମତାଙ୍କ ଉପରେ ଆକ୍ରମଣ ଏକ ନିର୍ବାଚନୀ ଷ୍ଟଣ୍ଟ: ବିଜେପି

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରାଗଲା। ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଆଜି ନନ୍ଦିଗ୍ରାମରୁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ମଧ୍ୟରେ ତାଙ୍କ ଉପରେ ଆଜି ଆକ୍ରମଣ ହୋଇଛି।  ତେବେ ଏହି ଆକ୍ରମଣକୁ ନେଇ ମମତା ଦିଦି ଅଭିଯୋଗ କରିଥିବା ବେଳେ ବିଜେପି ଏହାକୁ ନିର୍ବାଚନୀ ଷ୍ଟଣ୍ଟ ବୋଲି କହିଛି।

ସୂଚନା ଅନୁସାରେ ମମତା ନାମାଙ୍କନ ପତ୍ର ଦାଖଲ କରି ଫେରୁଥିବା ବେଳେ ଆକ୍ରମଣ ହୋଇଛି। କାରରେ ଚଢ଼ୁଥିବା ବେଳେ ଆକ୍ରମଣ ହୋଇଥିଲା। ଏଥିରେ ତାଙ୍କ ଗୋଡ ଓ ହାତରେ ଆଘାତ ଲାଗିଛି। ଏହି ଖବର ପ୍ରସାର ହେବାପରେ ରାଜନୈତିକ ତାତି ବଢ଼ିଯାଇଛି।

ଏହାକୁ ନେଇ ମମତା ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି। ତାଙ୍କର ପ୍ରତିଉତ୍ତରରେ ବିଜେପି ପ୍ରଭାରି କୈଳାସ ବିଜୟବର୍ଗୀୟ କହିଛନ୍ତି କି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ପରାଜୟକୁ ଦେଖିସାରିଲେଣି। ତେଣୁ ସହାନୁଭୂତି ଭୋଟ ହାସଲ କରିବା ପାଇଁ ଏଭଳି ନିଜ ଉପରକୁ ଆକ୍ରମଣ କରାଇଛନ୍ତି। ଏହି ଆକ୍ରମଣର ସିବିଆଇ ତଦନ୍ତ ଦାବି କରିଛନ୍ତି ବଜୟବର୍ଗୀୟ।

ମମତାଙ୍କ ଯେତେ ସୁରକ୍ଷା ତାଙ୍କୁ କିଏ ଆକ୍ରମଣ କରିବା ପାଇଁ ଭାବିବ ନାହିଁ। ବିଜେପି ସାଂସଦ ଅର୍ଜୁନ ସିଂହ କହିଛନ୍ତି କି ମମତା ବାନାର୍ଜୀ ସହାନୁଭୂତି ଭୋଟ ଗ୍ରହଣ କରିବାକୁ ଚାହୁଁଛନ୍ତି।