ଲାଞ୍ଜିିଗଡ଼,ଏନ୍ଏନ୍ଏସ୍ : ସବୁଆଡ଼େ ହୋଲିର ମାହୋଲ ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଘାଟି ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲାଗିବା ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି।
ସୂଚନାନୁଯାୟୀ, ବ୍ଲକର ଦମାଘାଟି ଛକ, ବେନଗାଁ ଓ ବିଜେପୁର ଥାନା ବଙ୍କାକୁଣ୍ଡ୍ରୁ ଛକ ନିକଟରେ ଏହି ମାଓ ପୋଷ୍ଟର ସବୁ ଲାଗିଛ ି। ଏହି ପୋଷ୍ଟରରେ କଳାହାଣ୍ଡି ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚେତାବନୀ ଦିଆଯାଇଥିବା ବେଳେ ୨ଚକିଆ ଓ ୪ଚକିଆ ଯାନ ଡ୍ରାଇଭିଂ ଲାଇସେନ୍ସ ପାଇଁ ଲୋକଙ୍କୁ ହଇରାଣ କରାଯାଉଛି। ସକାଳ ୯ଟାରୁ ରାତି ୧୦ ଟା ଯାଏଁ ଆରଟିଓ କାର୍ଯ୍ୟାଳୟରେ ଭିଡ ରହୁଛି । ଏଣୁ ପ୍ରତ୍ୟେକ ପଞ୍ଚାୟତରେ ଆରଟିଓ କ୍ୟାମ୍ପ୍ ଖୋଲାଯାଉ ଓ ସମସ୍ତଙ୍କ ଡ୍ରାଇଭିଂ ଲାଇସେନ୍ସ କରାଯାଉ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।
ସେହିପରି ବେନଗାଁରୁ ଲାଞ୍ଜିଗଡ଼କୁ ସଂଯୋଗ କରୁଥିôବା ପ୍ରଧାନମନ୍ତ୍ରୀ ରାସ୍ତାକୁ ମାଓବାଦୀମାନେ ତୀବ୍ର ବିରୋଧ କରିଛନ୍ତି । ଏହି ରାସ୍ତାରେ କାମ କରୁଥିବା ମହିଳା ଓ ପୁରୁଷମାନଙ୍କୁ କମ୍ ମଜୁରୀ ଦିଆଯାଉଛି। ରାସ୍ତା କାମ ନାଁରେ ବ୍ୟାପକ ଗଛ କଟାଯାଉଛି ଏହାକୁ ବନ୍ଦ କରାଯାଉ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏହି ପୋଷ୍ଟରରେ ଠିକାଦାର ଦଲାଲ ମାନଙ୍କୁ ମଧ୍ୟ ଚେତାବନୀ ଦେଇଛି ଲାଲବାହିନୀ । ପୋଷ୍ଟର ଗୁଡ଼ିକରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ମାଓବାଦୀ କଳାହାଣ୍ଡି ରାୟଗଡ଼ା ଡିଭିଜନ ବୋଲି ଉଲ୍ଲେଖ ରହିଛି । ପୋଷ୍ଟରକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିବା ବେଳେ ଲାଞ୍ଜିଗଡ଼ ବ୍ଲକର ଘାଟି ଅଞ୍ଚଳରେ କାମ କରୁଥିବା ଠିକାଦାରଙ୍କ ମଧ୍ୟରେ ଛନକା ପଶିଯାଇଛି ।