ବରଗଡ଼,ଏନ୍ଏନ୍ଏସ୍: ଦୀର୍ଘଦିନର ନିରବତା ପରେ ବରଗଡ଼ ଜିଲ୍ଲାରେ ପୁଣି ମାଓବାଦୀଙ୍କ ଗତିବିଧିର ଝଲକ ସାମ୍ନାକୁ ଆସିଛି। ଜିଲ୍ଲାର ପାଇକମାଳ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଓ ଜାମସେଠରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ୨୮ଜୁଲାଇରୁ ଅଗଷ୍ଟ ୩ ଯାଏଁ ଅଞ୍ଚଳରେ ସହିଦ ଦିବସ ପାଳନ କରିବାକୁ ମାଓ ସଂଗଠନ ତରଫରୁ ଅନୁରୋଧ କରାଯାଇଛି । ଏଥିସହିତ ପୋଷ୍ଟରରେ ଜନପ୍ରତିନିଧି, ଠିକାଦାର ସାଜି ଜେସିବି ରେ କାମ କରୁଥିବା ତଥା ଦୁର୍ନୀତି କରୁଥିବା ବିଷୟରେ ଅନେକ କିଛି ବିଷୟରେ ଉଲ୍ଲେଖ କରାଯାଇଛି ଓ ପୋଷ୍ଟର ତଳେ ବଲାଙ୍ଗିର- ବରଗଡ଼ ମହାସମୁନ୍ଦ ଡିଭିଜନ କମିଟି କଥା ଲେଖା ହୋଇଛି, ବରତୁଣ୍ଡାରେ ଏକ ସିଆରପିଏଫ କ୍ୟାମ୍ପ ଅଛି ଏବଂ ଅଳ୍ପ କିଛି ମିଟର ଦୂରରେ ଏହି ପୋଷ୍ଟର ଲାଗିଥିବା ଯୋଗୁଁ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟପଟେ ଘଟଣାକୁ ନେଇ ପୁଲିସ ତନାଘନା କରୁଥିବା ଜଣାପଡ଼ିଛି । ମାତ୍ର ଏଯାଏଁ ପୁଲିସ ତରଫରୁ ଗଣମାଧ୍ୟମକୁ କିଛି ସୂଚନା ଦିଆଯାଇ ନାହିଁ ।