ସଂଗ୍ରାମୀ ସ୍ମୃତିବନର ପ୍ରଥମ ଜନ୍ମ ବାର୍ଷିକୀ ପାଳିତ

ବରଗଡ଼,ଏନ୍‌ଏନ୍‌ଏସ୍‌: ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀଙ୍କ ସ୍ମୃତିରେ ବରଗଡ଼ ସହର ଉପକଣ୍ଠ ବଗେଇବିରା ନିକଟ କଜିଲିବିଜିଲି ପାହାଡ଼ ପାଦ ଦେଶରେ ସଂଗ୍ରାମୀ ସ୍ମୃତିବନ ଗଢ଼ି ଉଠିଛି । ଗତବର୍ଷ ଠିକ୍ ଆଜିର ଦିନରେ ବରଗଡ଼ ସାମ୍ବାଦିକ ସଂଘର ଉଦ୍ୟମ ଏବଂ ସ୍ଥାନୀୟ ବନ ବିଭାଗ ସହଯୋଗରେ ବୈଷ୍ଣୋଦେବୀ ମନ୍ଦିରର ଅନତି ଦୂରରେ ସ୍ମୃତିବନର ସ୍ଥାପନା କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀଙ୍କ ଗ୍ରାମରୁ ମାଟି ଅଣାଯାଇଥିଲା ଏବଂ ଜିଲ୍ଲାର ୧୫୩ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ କରାଯାଇଥିଲା । ସ୍ମୃତିବନ ତଥା ସେଠାରେ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ରୋପଣ କରାଯାଇଥିବା ବୃକ୍ଷ ଚାରାକୁ ଆଜି କାରଗିଲ୍ ଦିବସରେ ଠିକ୍ ବର୍ଷେ ପୂରିଛି । ଏହିକ୍ରମେ ଆଜି ବରଗଡ଼ ସାମ୍ବାଦିକ ସଂଘ ଏବଂ ବନ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ମୃତିବନର ଜନ୍ମବାର୍ଷିକୀ ଭଳି ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଏକ କେକ୍ କଟାଯିବା ସହିତ ସ୍ମୃତିବନରେ ରହିଥିବା ବୃକ୍ଷଚାରାକୁ ପୂଜାର୍ଚ୍ଚନା କରି ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ସ୍ମୃତିବନର ଜନ୍ମ ବାର୍ଷିକୀ ପାଳନ ଅବସରରେ ଚାରା ରୋପଣ କରାଯାଇଛି । ଏହାସହ ସଂଗ୍ରାମୀ ସ୍ମୃତିବନରେ ରହିଥିବା ବୃକ୍ଷଚାରାର ଯତ୍ନ ନେଉଥିବା ୪ଜଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ବନଖଣ୍ଡର ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର କୁମାର ଗୋଚ୍ଛାୟତ, ବରଗଡ଼ ସାମ୍ବାଦିକ ସଂଘର ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ସମେତ ବନ କର୍ମଚାରୀ ଓ ବରଗଡ଼ ସାମ୍ବାଦିକ ସଂଘର ସଭ୍ୟବୃନ୍ଦ ଉପସ୍ଥିତ ଥିଲେ ।