ମେସିନରେ ହେଉଛି ମନରେଗା କାମ, ମୁହଁ ଖୋଲୁ ନାହାନ୍ତି ଏପିଓ

ସଇଁନ୍ତଲା,ଏଜେନ୍ସି: ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ ରୂପେ ପରିଗଣିତ। ଜିଲ୍ଲା ପ୍ରଶାସନ ଦାଦନ ସମସ୍ୟାକୁ ରୋକିବା ପାଇଁ ଅନେକ ଯୋଜନା କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ କାମ ଧନ୍ଦା ପାଇ ପାରିବେ ସେଥିପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଶ୍ଚିତ ଯୋଜନକୁ କାର୍ଯ୍ୟକାରୀ କରିଛନ୍ତି।ହେଲେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ବେଲଗାଁ ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ଶ୍ରମିକ ବଦଳେରେ ମେସିନ ସାହାଯ୍ୟରେ କାମ ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି।

ଫାଇଲ ଖୋଳାଯାଇ ନଥିବା ବେଳେ କିଭଳି କାର୍ଯ୍ୟ ଆରମ୍ଭ ହେଉଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।କେବଳ ଜେସିବି ଓ ଟ୍ରାକ୍ଟର ମାଲିକକୁ ପାରିଶ୍ରମିକ ଦିଆଯାଉଛି ଓ ପରବର୍ତ୍ତୀ ସମୟରେ ମନରେଗା ପଇସା ଶ୍ରମିକ ମାନଙ୍କଠୁ ସରକାରୀ ଅଧିକାରୀ ଓ ଠିକାଦାର ମାନେ ଉଠାଇ ନେଉଥିବା ଅଭିଯୋଗ ହେଉଛି। ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ ଗ୍ରାମାଞ୍ଚଳର ଶ୍ରମିକ ମାନେ ପୂର୍ବଭଳି ବାହାର ରାଜ୍ୟକୁ ଦାଦନ ଖଟି ଯିବା ପାଇଁ ବାଧ୍ୟ ହେଉଛନ୍ତି।

ଅଭିଯୋଗ ମୁତାବକ କୁସମଖାଲ ମାଲପଡା ନିକଟସ୍ଥ ରେଙ୍ଗାଳମୁଡ଼ା ପୋଖରିରେ ଚଳିତ ବର୍ଷ ମନରେଗା ଯୋଜନାରେ ମାଟି ଉଠାଇବା କାମ ଆରମ୍ଭ ହୋଇଥିଲା। କିନ୍ତୁ ଏଥିରେ ଶ୍ରମିକ ବଦଳରେ ଜେସିବି ମେସିନରେ କାମ କରାଯାଉଥିବା ଜଣାପଡିଛି। କାମ ଆରମ୍ଭରୁ କାମର ସୂଚନା ଫଳକ ଲାଗିବା କଥା କିନ୍ତୁ ସୂଚନା ଫଳକ ନଥିବାରୁ ଆହୁରି ସନ୍ଦେହ ସୃଷ୍ଟି କରିଛି। ଏ ସମ୍ପର୍କରେ ଏପିଓ ବନଜା ବାସିନୀ ଦାସଙ୍କୁ କେତେ ଟଙ୍କାର ଫାଇଲ ଖୋଲାଯାଇଛି ଓ କାହିଁକି ମେସିନରେ କାମ କରୁଛନ୍ତି ବୋଲି ପଚାରିବାରୁ ମୁହଁ ଖୋଲିନଥିଲେ। ଯାହା ଦ୍ଵାରା ଜିଆର୍‌ଏସ୍‌ ଓ ବ୍ଲକ୍‌ ପ୍ରଶାସନର ମିଳିତ ଭାବେ ଏଭଳି କାର୍ଯ୍ୟ ଆରମ୍ଭ କରାଯାଉଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି। ଏନେଇ ବିଡ଼ିଓ ଚନ୍ଦ୍ରମଣୀ ନାଗଙ୍କୁ ପଚାରିବାରୁ ମେସିନରେ କାମ କରାଗଲେ ଟଙ୍କା ମିଳିବ ନାହିଁ ବୋଲି କହିଛନ୍ତି।