କାନପୁର,ଏଜେନ୍ସି: ଶୁକ୍ରବାର ଦିନ ପ୍ରାର୍ଥନା ପରେ ଏକ ସମ୍ପ୍ରଦାୟର ସଦସ୍ୟ ମାନେ ବେକନଗଞ୍ଜ ଅଞ୍ଚଳରେ ଦୋକାନ ବଜାର ବନ୍ଦ କରିବାକୁ ବାଧ୍ୟ କରିଥିଲେ। ଏନେଇ ଏକ ସାମ୍ପ୍ରଦାୟିକ ସଂଘର୍ଷ ଆରମ୍ଭ ହୋଇଛି। ବିଜେପି ମୁଖବକ୍ତା ନୁପୁର ଶର୍ମା ନିକଟରେ ପ୍ରୋଫେଟ୍ ମୋହମ୍ମଦଙ୍କ ନାମରେ ଏକ ଆପତ୍ତିଜନକ ଟିପ୍ପଣୀ କରିଥିଲେ। ଏହାକୁ ବିରୋଧ କରି ଉକ୍ତ ସମ୍ପ୍ରଦାୟର ସଦସ୍ୟମାନେ ବଜାର ବନ୍ଦ ଡାକରା ଦେଇଥିଲେ। ଶୁକ୍ରବାର ପ୍ରାର୍ଥନା ପରେ ଉକ୍ତ ସମ୍ପ୍ରଦାୟର ସଦସ୍ୟମାନେ ଜୋର ଜବରଦସ୍ତି ଦୋକାନ ବଜାର ବନ୍ଦ କରୁଥିଲେ। ଏହାକୁ ଅନ୍ୟ ସମ୍ପ୍ରଦାୟର ଲୋକେ ବିରୋଧ କରିଥିଲେ। ଫଳରେ ଏହା ଉଗ୍ରରୂପ ନେଇ ଢେଲା ପଥର ମାଡ଼ ହୋଇଛି। ସୂଚନା ରହିଛି କି ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା ମଧ୍ୟ କରିଥିଲେ।
ତେବେ ଏହି ସାମ୍ପ୍ରଦାୟିକ ସଂଘର୍ଷରେ ୨ ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ୧୭ ଜଣଙ୍କୁ ଥାନାରେ ଅଟକ ରଖିଛି। ଏଥିସହିତ ଘଟଣାସ୍ଥଳରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ ମଧ୍ୟ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ସିସିଟିଭି ଫୁଟେଜର ଯାଞ୍ଚ କରୁଥିବା ସୂଚନା ମିଳିଛି।
ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କାନପୁରର ଦେହାତରେ ଥିଲେ। ଯାହାକି ଏହି ସଂଘର୍ଷ ଘଟିଥିବା ଜିଲ୍ଲାର ନିକଟରେ ବୋଲି ଜଣାପଡ଼ିଛି।