ଓଡ଼ିଶାରେ ଗ୍ରାମ୍ୟ ପର୍ଯ୍ୟଟନର ପରିକଳ୍ପନା କଲେ ଧର୍ମେନ୍ଦ୍ର, ନୂଆ କେନ୍ଦ୍ର ହେବ ବୀରଗୋବିନ୍ଦପୁର

ବୀରଗୋବିନ୍ଦପୁର,ପୁରୀ,ଏନ୍‌ଏନ୍‌ଏସ୍‌: ଓଡ଼ିଶାର ଗ୍ରାମ୍ୟ ଜୀବନରେ ବୀରଗୋବିନ୍ଦପୁର ଗ୍ରାମକୁ ଗୋଟିଏ ପର୍ଯ୍ୟଟନ କେନ୍ଦ୍ର ତଥା ସୁସଜ୍ଜିତ, ସମୃଦ୍ଧ ଓ ସଂସ୍କୃତି ସମ୍ପନ୍ନ ଅଞ୍ଚଳ କରାଯିବ । ଏଥିପାଇଁ ଆମେ ସମସ୍ତେ ସାମୂହିକ ଦାୟିତ୍ୱ ନେବା ଉଚିତ୍ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ଗ୍ରାମ ତଥା ମା’ ଦକ୍ଷୀଣାକାଳୀଙ୍କ ପୀଠ ପରିସରରେ ଇଣ୍ଡିଆନ ଅଏଲର ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ଅନ୍ତର୍ଗତ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାମର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ବୀରଗୋବିନ୍ଦପୁର ମୋ’ପାଇଁ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଏହି ଗ୍ରାମ ସହ ମୋର ପ୍ରାୟ ୩୦ ବର୍ଷରୁ ଅଧିକ ସମ୍ପର୍କ । ମୋର ପିଲାବେଳର ବନ୍ଧୁଙ୍କ ଆମନ୍ତ୍ରଣରେ ମୁଁ ଏଠାକୁ କାଳିପୂଜା ଦେଖିବାକୁ ଆସିଥିଲି । ସେ ସମୟରେ ମଧ୍ୟ ଗ୍ରାମବାସୀଙ୍କର ମା’ ଦକ୍ଷୀଣାକାଳୀଙ୍କ ଥିବା ଶ୍ରଦ୍ଧାକୁ ମୁଁ ମର୍ମେ ଅନୁଭବ କରିପାରିଥିଲି ।

ଏହି ଅଞ୍ଚଳର ସୌନ୍ଦର୍ଯ୍ୟକରଣକୁ ବଢ଼ାଇବା ପାଇଁ ଇଣ୍ଡିଆନ ଅଏଲ ପକ୍ଷରୁ ଏଠାରେ କମ୍ୟୁନିଟି ହଲ୍‌, ଯୋଗ ସେଣ୍ଟର, ଶିଶୁ ଉଦ୍ୟାନ ନିର୍ମାଣ କରାଯିବ । ୫୦ଟି ସୋଲାର୍ ଲାଇଟ୍ ଦ୍ୱାରା ଆଲୋକୀକରଣରର ବ୍ୟବସ୍ଥା କରାଯିବ । ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବ । ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ ସହ ଦୁଇଟି ପୋଖରୀର ସୌନ୍ଦର୍ଯ୍ୟକରଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନର ୮ବର୍ଷ ପୂୂର୍ତ୍ତି ଉପଲକ୍ଷେ ବୀରଗୋବିନ୍ଦପୁର ଗ୍ରାମରେ ଏହି ସୁବିଧା ହେବା ଦ୍ୱାରା କେବଳ ଗ୍ରାମବାସୀ ନୁହେଁ, ବରଂ ବିଶେଷ ଭାବରେ କାଳୀପୂଜା ସମୟରେ ମା’ଦକ୍ଷୀଣାକାଳୀଙ୍କ ଦର୍ଶନ ପାଇଁ ଏଠାକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଉପକୃତ ହେବେ ।

ଏହି କାର୍ଯ୍ୟ ମା’ ଦକ୍ଷୀଣାକାଳୀଙ୍କ ପୀଠ ଶୋଭାବର୍ଦ୍ଧନକୁ ବଢ଼ାଇବ । ପ୍ରଧାନମନ୍ତ୍ରୀ ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେଉଥିବା ବେଳେ ବୀରଗୋବିନ୍ଦପୁର ଗ୍ରାମରେ ବିଶେଷ ଭାବରେ ଗ୍ରାମାଞ୍ଚଳର ମା’ ଓ ଭଉଣୀଙ୍କୁ କମ୍ପ୍ୟୁଟର ପ୍ରଶିକ୍ଷଣ ଦେବା ପାଇଁ କମ୍ପ୍ୟୁଟର ଲ୍ୟାବ୍ ଥିବା ଏକ ଆଧୁନିକ ପାଠାଗାର ସ୍ଥାପନ ପାଇଁ ଇଣ୍ଡିଆନ ଅଏଲକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ । ସେହିପରି ନିର୍ମାଣ ହେବାକୁ ଥିବା କମ୍ୟୁନିଟି ହଲରେ ସନ୍ଧ୍ୟା ସମୟରେ ଭାଗବତ ପଢ଼ା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟ କରିବା ଉପରେ ଶ୍ରୀ ପ୍ରଧାନ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ବର୍ତମାନ ସମୟରେ ଗରିବ କଲ୍ୟାଣ, ସେବା ଓ ସମନ୍ୱୟର କଳ୍ପନା କରାଯାଉଛି । ଏହି ଏକବିଂଶ ଶତାବ୍ଦୀରେ ଓଡ଼ିଶାର ଯୁବପିଢିଙ୍କ ମଧ୍ୟରେ ବିଶ୍ୱକଲ୍ୟାଣର ଭାବନାକୁ ଉଜାଗର କରିବା ଦରକାର । ସୂଚନାଯୋଗ୍ୟ ଯେ ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମା’ ଦକ୍ଷୀଣକାଳୀଙ୍କ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।