ଟୋକିଓ ଅଲମ୍ପିକର ଉଦଘାଟନୀ ସମାରୋହରେ ଭାରତର ଧ୍ୱଜା ଧରିବେ ମେରୀକମ୍ ଓ ମନପ୍ରୀତ ସିଂହ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ ଆସନ୍ତା ଜୁଲାଇ ୨୩ରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଭାରତ ତରଫରୁ ୬ଥର ବିଶ୍ୱ ଚାମ୍ପିୟାନ ହୋଇଥିବା ମୁଷ୍ଟିଯୋଦ୍ଧା ମେରୀକମ୍ ଓ ପୁରୁଷ ହକି ଟିମ୍ ଅଧିନାୟକ ମନପ୍ରୀତ ସିଂହ ଉଦଘାଟନୀ ସମାରୋହରେ ଭାରତର ଧ୍ୱଜା ଧରିବେ। ଏନେଇ ଇଣ୍ଡିଆନ ଅଲମ୍ପିକ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ସମାପନ ଉତ୍ସବରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଭାରତର ଧ୍ୱଜା ଧରିବେ ବୋଲି ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ମେରୀକମ୍ କହିଛନ୍ତି ଯେ, ଏହା ମୋ ପାଇଁ ଏକ ଖାସ୍ ମୁହୂର୍ତ୍ତ। କାରଣ ଏହା ମୋର ଶେଷ ଅଲମ୍ପିକ। ଉଦଘାଟନୀ ସମାରୋହରେ ଦେଶର ନେତୃତ୍ୱ ନେବାର ସୁଯୋଗ ପାଇ ମୁଁ ବାସ୍ତବରେ ସମ୍ମାନିତ ଅନୁଭବ କରୁଛି। ଏଥିପାଇଁ ମୋତେ ଚୟନ କରିଥିବାରୁ ମୁଁ ଖେଳ ମନ୍ତ୍ରଣାଳୟ ଓ ଇଣ୍ଡିଆନ ଅଲମ୍ପିକ ଆସୋସିଏସନକୁ ଧନ୍ୟବାଦ ବ୍ୟକ୍ତ କରୁଛି। ପଦକ ଲାଗି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବି ବୋଲି ପ୍ରତିଶ୍ରୁତି ଦେଉଛି।