୨ ଶିଶୁ ଶ୍ରମିକକୁ ଉଦ୍ଧାର କଲା ଚାଇଲଡ ଲାଇନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ବନ୍ଧବାହାଲ ଅଞ୍ଚଳରେ କୁକୁଡ଼ା ଦୋକାନରେ କାମ କରୁଥିବା ୨ ଶିଶୁ ଶ୍ରମିକଙ୍କୁ ଆଜି ଚାଇଲଡ ଲାଇନ ପକ୍ଷରୁ ଉଦ୍ଧାର କରାଯାଇଛି। ଶିଶୁ ଦ୍ୱୟଙ୍କୁ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇ କମିଟିର ନିର୍ଦ୍ଦେଶକ୍ରମେ ଶିଶୁ ଯତନ ଅନୁଷ୍ଠାନରେ ରଖାଯାଇଛି ବୋଲି ଚାଇଲଡ଼ ଲାଇନର ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ବନ୍ଧବାହାଲରେ ୨ଜଣ ଶିଶୁ କୁକୁଡ଼ା ଦୋକାନରେ କାମ କରୁଥିବା ଆଜି ଚାଇଲଡ଼ ଲାଇନକୁ ଖବର ମିଳିଥିଲା। ତୁରନ୍ତ ଚାଇଲଡ଼ ଲାଇନ ତର୍ପରତା ଦେଖେଇ ବନ୍ଧବାହାଲ ଫାଣ୍ଡି ପୁଲିସ ସହିତ ଯାଇ ଶିଶୁ ଶ୍ରମିକ ଦ୍ୱୟଙ୍କୁ ଉଦ୍ଧାର କରିଛି । ଉଭୟ ଶିଶୁ ୧୨ ବର୍ଷର ବୋଲି ଜଣାପଡ଼ିଛି । ଅନ୍ୟପଟେ ସେମାନେ ବର୍ଷେ ହେବ ପାଠପଢ଼ା ଛାଡ଼ି କୁକୁଡ଼ା ଦୋକାନରେ କାମ କରୁଥିଲେ ବୋଲି ଶିଶୁ ଦ୍ୱୟ କହିଛନ୍ତି। ମାଲିକଙ୍କ ବିରୁଦ୍ଧରେ ଶିଶୁ ଶ୍ରମିକ ନିଷେଧ ଆଇନ ଅନୁସାରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। ଆଜିର ଚଢ଼ଉ ସମୟରେ ଚାଇଲଡ ଲାଇନ ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା, ଚାଇଲଡ ଲାଇନ ସଦସ୍ୟ ରାଧେଶ୍ୟାମ ନାୟକ ଓ ଫାଣ୍ଡି ଅଧିକାରୀ ଅଶୋକ କୁମାର ଦାସ ସାମିଲ ଥିଲେ।