ଜମୁଛି ମଣ୍ଡେଇ ମଞ୍ଚ ନାଟକ, “ଫେରୀବାଲା’ ଓ “ଏକ ଅଭିଶପ୍ତ ଜୀବନ ଯାତ୍ରା’ ମୋହିଲା ଦର୍ଶକଙ୍କ ମନ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ମଣ୍ଡେଇ ନାଟକ ମହୋତ୍ସବର ୨ୟ ସନ୍ଧ୍ୟାରେ କରୋନା କାଳରେ ଏକ ଫେରିବାଲାର ଜୀବନ ଯାତ୍ରାକୁ ନେଇ ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରାୟୋଜିତ ନାଟକ ଫେରିବଲାର ସମସ୍ତ କଳାକାରଙ୍କ ଉଚ୍ଚକୋଟିର ଅଭିନୟ ଦର୍ଶକଙ୍କ ମନ ମୋହିଛି । ସଞ୍ଜୀବ ସିଂ ରଚିତ ଏବଂ ଟେଲିଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଏହି ନାଟକରେ ଲକ୍ଷ୍ମୀ ସିଂ, ବୁଲୁ ପାଢ଼ୀ, ସଞ୍ଜୀବ ସିଂ, ପର୍ଶୁରାମ ବିଷୋୟୀ, ଆଶାନନ୍ଦ ଗୋରୋଡ଼ା, ଜସବନ୍ତ ସିଂ ଓ ପାୟଲ ସିଂ ପ୍ରମୁଖ ଅଭିନୟ କରିଥିଲେ । ସଙ୍ଗୀତରେ ଯୁଗଳ କିଶୋର ତ୍ରିପାଠୀ ଏବଂ ଅଶୋକ ମହାନ୍ତି ଦେଇଥିବାବେଳେ କୁମାର ସମର କଣ୍ଠଦାନ କରିଥିଲେ। ତୁଷାର କାନ୍ତି ଖୋସଲା, ପ୍ରକାଶ ବାରିକ, ଶଶିକାନ୍ତ ଦାସ, ଅନନ୍ୟା ସିଂ, ଟିଙ୍କୁ ଜୈନ ଓ ଆଦିତ୍ୟ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ସେହିପରି ୨ୟ ନାଟକ ଭାବେ ଅଭିଶପ୍ତ ନାରାୟଣ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଲଢ଼ି ନରୋତ୍ତମ ଭାବରେ ନିଜକୁ କିପରି ସମାଜରେ ପ୍ରତିପାଦିତ କରୁଛନ୍ତି ସେହି ମର୍ମରେ ଗୋକୁଳ ଖାଡ଼ଙ୍ଗା ରଚିତ ଏବଂ ନିର୍ଦ୍ଦେଶିତ ଏକ ଭିନ୍ନ ଧରଣର ନାଟକ “ଏକ ଅଭିଶପ୍ତ ଜୀବନ ଯାତ୍ରା’ ମଞ୍ଚସ୍ଥ ହୋଇଥିଲା । ଉକ୍ତ ନାଟକରେ ବିଭିନ୍ନ ଭୂମିକାରେ ଗୋକୁଳ ଖାଡ଼ଙ୍ଗା, ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ଅଶୋକ ପଣ୍ଡା, ଶିବ ଶଙ୍କର ତ୍ରିପାଠୀ, ଶୁଭଶ୍ରୀ ଗନ୍ତାୟତ, ଚୈତନ୍ୟ ବେହେରା, ବିବେକ ସାହୁ, ନିର୍ମଳ ସାହୁ, କୁମାର ବୈଭବ, ଆଲୋକ ସାହୁ ଏବଂ ଶିଶୁ କଳାକାର ଭାବେ ସୁହାନା ଓ ସେଲିନା ଅଭିନୟ କରିଥିଲେ । ସଙ୍ଗୀତରେ ଯୁଗଳ କିଶୋର ତ୍ରିପାଠୀ ଓ ଅଶୋକ ମହାନ୍ତି ଥିବାବେଳେ କୁମାର ସମର ଓ ବେବି ଢାଲି କଣ୍ଠଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ ନାୟକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ ଆଶୁତୋଷ ପାତ୍ର, ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡା. ସୁନିଲ ଖରା, ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଯୋଗ ଦେଇଥିଲେ । ମଞ୍ଚ କମିଟିର ସଦସ୍ୟ ଅଧ୍ୟାପକ ଦିଲ୍ଲୀପ ହୋତା ଓ ଜ୍ୟୋତି ପରିଚ୍ଛା ମଞ୍ଚ ପରିଚାଳନା କରିଥିବାବେଳେ ମଞ୍ଚ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଧନ୍ୟବାଦ ଦେଇଥିଲେ ।