ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ପରିଚାଳନା କମିଟି ଓ ଅଭିଭାବକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବାରକୋଟ ବ୍ଲକ ରଂଭେଇ ପଞ୍ଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମସ୍ଥିତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ସ୍କୁଲରେ ତାଲା ପକାଯାଇଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ରଙ୍ଗମାଟିଆ ଗ୍ରାମରେ ଥିବା ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ଶିକ୍ଷା ବିଭାଗର ୨ଜଣ ଗଣ ଶିକ୍ଷକ ଓ ଜଣେ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ମାତ୍ର ବିଦ୍ୟାଳୟରେ ପଢ଼ୁଥିବା ୬୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକ ନ ଥିବା କାରଣରୁ ପାଠପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । ଏସମ୍ପର୍କରେ ଗ୍ରାମବାସୀ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜିଠୁ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନ ହେବା ଯାଏଁ ଗ୍ରାମବାସୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇଥିବା ଜଣାପଡ଼ିଛି ।