ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଭାରତ ଅଭିମୁଖେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତ ଶେଷ କରି ଭାରତ ଅଭିମୁଖେ ବାହାରିଛନ୍ତି । ମୋଦୀ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଜାପାନ ଯାଇଥିଲେ । ମୋଦୀଙ୍କ ଟୋକିଓ ମାର୍ମିକ ଯାତ୍ରା ଶେଷ ହୋଇଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ ସୂଚନା ପ୍ରଦାନ କରିଛନ୍ତି ।

ପୀଏମ ମୋଦୀ ଟୋକିଓର ନିପ୍ପୋନ ବୁଡୋକନରେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାର ସମୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସିଞ୍ଜୋ ଆବେଙ୍କୁ ମନେ ପକାଇ ମୋଦୀ ଟ୍ୱିଟ୍ କରିଛନ୍ତି ଯେ, ଚଳିତ ବର୍ଷ ପ୍ରାରମ୍ଭରେ ମୁଁ ଯେତେବେଳେ ଟୋକିଓରେ ଥିଲି କଦାପି ଭାବି ନଥିଲି କି ପୂର୍ବ ପ୍ରଧାନମନ୍ତ୍ରୀ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାର ପାଇଁ ପୁଣି ଆସିବି । ସେ ଜଣେ ମହାନ ନେତା, ଅସାଧାରଣ ବ୍ୟକ୍ତି ଏବଂ ଭାରତ -ଜାପାନ ମିତ୍ରତାରେ ବିଶ୍ୱାସ କରୁଥିବା ବ୍ୟକ୍ତି ଥିଲେ । ସେ ଲକ୍ଷାଧିକ ଲୋକଙ୍କ ହୃଦୟରେ ସର୍ବଦା ଜୀବିତ ରହିବେ ।