ଚଳନ୍ତା ଟ୍ରେନରେ ଚଢ଼ୁଥିବା ସମୟରେ ଗୋଡ଼ ଖସି ଯୁବକଙ୍କ ମୃତ୍ୟୁ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଟ୍ରେନ ଚାଲୁଥିବା ବେଳେ ସେଥିରେ ଚଢ଼ିବା କିମ୍ବା ଓହ୍ଲାଇବା ଏହା ଜୀବନ ପ୍ରତି ବିପଦ ହୋଇଥାଏ। ଏ ନେଇ ଅନେକ ସଚେତନତା କରାଯାଉଥିଲେ ମଧ୍ୟ ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି। ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ତଳେ ପଡ଼ିଯାଇ ଜଣେ ଯୁବକର ମୃତ୍ୟୁ ହୋଇଛି। ଏଭଳି ଏକ ଘଟଣା ଆଜି ଝାରସୁଗୁଡ଼ା ରୋଡ ରେଳ ଷ୍ଟେସନରେ।

ଚଳନ୍ତା ଟ୍ରେନରେ ଚଢୁଥିବା ବେଳେ ସଞ୍ଜୟ କର ନାମକ ଏକ ଯୁବକର ଗୋଡ଼ ଖସି ତଳେ ପଡିଯିବାରୁ ଘଟଣା ସ୍ଥଳରେ ତା’ର ଦୁଇ ଗୋଡ଼ କଟିଯାଇଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଝାରସୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ କିଛି ସମୟ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣାରୁ ପ୍ରକାଶ ଯେ ସଞ୍ଜୟ ଆଜି ପ୍ରାୟ ଦିନ ୧୧ଟା ସମୟରେ ଝାରସୁଗୁଡ଼ା ରୋଡ଼ ରେଳଷ୍ଟେସନରେ ସମ୍ବଲପୁରରୁ ରାଉରକେଲା ଯାଉଥିବା ଡିଏମଉ ଟ୍ରେନରେ ଚଢ଼ିବାକୁ ଆସୁଥିଲେ। ତେବେ ଟ୍ରେନଟି ଛାଡିବା ସମୟରେ ତରବରିଆ ହୋଇ ଟ୍ରେନ ଚଢୁଥିବା ବେଳେ ତାଙ୍କ ଗୋଡ ତଳକୁ ଖସି ଯାଇଥିଲା ଫଳରେ ଘଟଣାସ୍ଥଳରେ ସେ ଟ୍ରେନ ଚକ ତଳେ ଆସିଯାଇଥିଲେ।