କ୍ଷେତ୍ରୀୟ କର୍ମଚାରୀ ଦେବେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର: ମୁଖ୍ୟମନ୍ତ୍ରୀ

୨୦୨୦ ଏପ୍ରିଲ ପହିଲାରୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍‌ରେ ହେବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଭିନ୍ନ ବାସଗୃହ ଓ ବିଲ୍‌ଡିଂ ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଏବେ ଆଉ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟକୁ ଯିବାକୁ ପଡ଼ିବ ନାହିଁ। ବିଭାଗର କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ। ଅଗ୍ନି ସୁରକ୍ଷା କ୍ଷେତ୍ରରେ ଅଧିକ ସଚେତନତା ଓ ସୁରକ୍ଷିତ ବ୍ୟବସ୍ଥା ପାଇଁ ବିଭିନ୍ନ ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ ଅଧିକାର କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏ ସମ୍ପର୍କରେ ବିସ୍ତୃତ ଘୋଷଣାନାମା ପ୍ରକାଶ ପାଇଛି।

ଏହି ନୂତନ ନିଷ୍ପତ୍ତି ଦ୍ୱାରା ଦୈନନ୍ଦିନ ଚଳଣି ଓ ବ୍ୟବସାୟରେ ଅଧିକ ସହଜାତଆସିପାରିବ। ରାଜ୍ୟ ସରକାରଙ୍କ ୫ଟି ନୀତି ଅନୁଯାୟୀ ମଧ୍ୟ ଏହି ପ୍ରକ୍ରିୟାକୁ ଅଧିକ ସରଳ ଓ ସମୟ ଉପଯୋଗୀ କରାଯାଇଛି। ନୂଆ ନିୟମ ଅନୁଯାୟୀ କ୍ଷେତ୍ରୀୟ କର୍ମଚାରୀମାନେ ଆବଶ୍ୟକ ପ୍ରକ୍ରିୟା ଅନୁସରଣ କରି ଆବେଦନ ଗ୍ରହଣ କରିବାର ୧୮ଦିନମଧ୍ୟରେ ପ୍ରମାଣପତ୍ର ପ୍ରଦାନ କରିବେ। ପ୍ରମାଣପତ୍ରର ଅବଧି ୨ବର୍ଷ ପର୍ଯ୍ୟନ୍ତ ରହିବ ଏବଂ ଆବାସିକ କୋଠାବାଡ଼ି କ୍ଷେତ୍ରରେ ୫ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାଦ୍ୱାରା ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନରେ ବ୍ୟାପକ ପରିବର୍ତ୍ତନ ଆସିପାରିବ। ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ଅଗ୍ନି ସୁରକ୍ଷା ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ ସମ୍ପୂର୍ଣ୍ଣ ବ୍ୟବସ୍ଥା ଅନଲାଇନ ଜରିଆରେ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଦେଇଛନ୍ତି।

ନୂତନ ନିଷ୍ପତ୍ତି ଅନୁଯାୟୀ ୧୫ମିଟରରୁ କମ୍ ଉଚ୍ଚତା ବିଶିଷ୍ଟ କୋଠା ପାଇଁ ସର୍କଲ ଡେପୁଟି ଫାୟାର ଅଫିସର, ୧୫ରୁ ୩୫ ମିଟର ଉଚ୍ଚତା ବିଶିଷ୍ଟ ମଲ୍ଟିପ୍ଲେକ୍ସ ପାଇଁ ରେଞ୍ଜ ଫାୟାର ଅଫିସର, ୩୫ ମିଟର ବା ତଦୁଦ୍ଧ୍ୱର୍ଉଚ୍ଚତା ବିଶିଷ୍ଟ କୋଠା ପାଇଁ ଚିଫ୍ ଫାୟାର ଅଫିସର, ୧୨ ମିଟରରୁ କମ୍ ଉଚ୍ଚତା ତଥା ୩୦ ଶର୍ଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଯାହାର କି ଅନ୍ତତଃ ପକ୍ଷେ ଗୋଟିଏ ଆଇସିୟୁ ଥିବ ସେ କ୍ଷେତ୍ରରେ ଜିଲ୍ଳାର ଆସିଷ୍ଟାଣ୍ଟ ଫାୟାର ଅଫିସର, ୩ ତାରକାରୁ କମ୍ ହୋଟେଲ, ଲଜିଂ ଓ ଗେଷ୍ଟହାଉସ ପାଇଁ ଜିଲ୍ଲା ଆସିଷ୍ଟାଣ୍ଟ ଫାୟାର ଅଫିସର, ୩ ତାରକାରୁ ଊର୍ଦ୍ଧ୍ୱ ହୋଟେଲ ପାଇଁ ଡେପୁଟି ଫାୟାର ଅଫିସର, ବିମାନ ବନ୍ଦର, ବିମାନ ଅବତରଣ କେନ୍ଦ୍ର, ଷ୍ଟାଡିୟମ୍‌, ବହୁତଳ କାର୍ ପାର୍କିଂ, ଭୂତଳ ଓ ଆଂଶିକ ଭୂତଳ କାର୍ ପାର୍କିଂ ପାଇଁ ରେଞ୍ଜ ଅଗ୍ନିଶମ ଅଧିକାରୀ, ପେଟ୍ରୋଲ ପମ୍ପ ଓ ଏଲପିଜି ଗୋଦାମ ପାଇଁ ଆସିଷ୍ଟାଣ୍ଟ ଅଗ୍ନିଶମ ଅଧିକାରୀ, ଶିଳ୍ପ (କ୍ଷୁଦ୍ର) କଳକାରଖାନା, ଗୋଦାମ ଘର, ବିସ୍ଫୋରକ ଦ୍ରବ୍ୟର ସଂରକ୍ଷଣ, ପରିବହନ ଏବଂ ଆତସବାଜି ଉତ୍ପାଦନ ଓ ବିକ୍ରୟ(ସ୍ଥାୟୀଲାଇସେନ୍ସଧାରୀ) ପାଇଁ ଡେପୁଟି ଅଗ୍ନିଶମ ଅଧିକାରୀ ଏବଂ ବୃହତ୍ ଶିଳ୍ପ ବିସ୍ଫୋରକ ଦ୍ରବ୍ୟ ଉତ୍ପାଦନକାରୀ, ପେଟ୍ରୋଲିୟମ ତଥା ଅନ୍ୟ ବାହ୍ୟ ପଦାର୍ଥ ଡିପୋ ଆଦି କ୍ଷେତ୍ରରେ ରେଞ୍ଜ ଅଗ୍ନିଶମ ଅଧିକାରୀ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେଇପାରିବେ।