ଚଳନ୍ତା ଗାଡ଼ିରେ ପ୍ରବାସୀ ଶ୍ରମିକର ମୃତ୍ୟୁ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ଭାଳୁମୁଣ୍ଡା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗରୁ ଗୋଆ ଯାଉଥିବା ଏକ ବସରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଲିସ ସୂଚନା ଅନୁଯାୟୀ ଗତ ଶୁକ୍ରବାର ଦିନ ପଶ୍ଚିମବଙ୍ଗ କୁମାରଗଞ୍ଜ ଥାନା ଅନ୍ତର୍ଗତ ଦକ୍ଷିଣଦିନାପୁର ଗ୍ରାମର ପ୍ରଫୁଲ୍ଲ ବିଶ୍ୱାସ (୪୭) ଅନ୍ୟ ୪୬ ଜଣ ସାଥୀଙ୍କ ସହ ଗୋଆକୁ କାମ ପାଇଁ ଏକ ଘରୋଇ ବସରେ ଯାଉଥିଲେ।

ଗତ ରାତ୍ରିରେ ବସରେ ସମସ୍ତେ ଶୋଇଥିବା ବେଳେ ଆଜି ସକାଳ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଫୁଲ୍ଲ ନ ଉଠିବାରୁ ପାଖରେ ଥିବା ଅନ୍ୟ ସହଯାତ୍ରୀ ଜଣକ ତାଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରଫୁଲ୍ଲ କୌଣସି ପ୍ରତିକ୍ରିୟା ନଦେବାରୁ ଅନ୍ୟ ସାଥିମାନେ ଦେଖି ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରିଥିଲେ। ଫଳରେ ଗାଡିଚାଳକ ବସଟିକୁ ଦେବଗଡ଼ ଥାନାକୁ ନେଇଥିଲେ। ପରେ ଦେବଗଡ଼ ଥାନା ପୁଲିସ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ଡାକ୍ତର ପ୍ରଫୁଲ୍ଲଙ୍କୁ ମୃତ ଘୋଷଣା କରିବା ପରେ ମୃତ ଦେହକୁ ସବଗୃହରେ ସଂରକ୍ଷିତ ରଖାଯାଇଛି। ଦେବଗଡ଼ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାର ଲୋକେ ଆସିବା ପରେ ମୃତ ଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।