ଚଳିତ ବର୍ଷର ଶେଷ ମନ କି ବାତ: ଆତ୍ମନିର୍ଭରଶୀଳ ଭାରତ ପାଇଁ ବିଶ୍ୱସ୍ତରୀୟ ଉତ୍ପାଦ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,ଏଜେନ୍ସି: ୨୦୨୦ର ଶେଷ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ୪ ଦିନ ପରେ ବର୍ଷ ଅତିବାହିତ ହେବାକୁ ଯାଉଛି। ଏହି ବର୍ଷ ଆମ ପାଇଁ ଅନେକ ଆହ୍ୱାନ ଏବଂ ସଙ୍କଟ ଦେଖାଦେଇଥିଲା କିନ୍ତୁ ଆମେ ନୂତନ ସମ୍ଭାବନା ସୃଷ୍ଟି କରିପାରିଛୁ। ସେ କହିଛନ୍ତି ଯେ ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ବିଶ୍ୱସ୍ତରୀୟ ଉତ୍ପାଦ ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ ବର୍ଷ ୨୦୨୧ରେ ନୂଆ ସଂକଳ୍ପ ଗ୍ରହଣ କରିବାର ସମୟ ଆସିଛି। ଆମ ଦେଶ ୨୦୨୧ ମସିହାରେ ସଫଳତାର ନୂତନ ଶିଖରକୁ ସ୍ପର୍ଶ କରିବ। ଯାହା ଭାରତର ବିଶ୍ୱରେ ମାନ୍ୟତା ଏବଂ ସଶକ୍ତୀକରଣ ହେବାର ଇଚ୍ଛାଠାରୁ ଅଧିକ ହେବ। ଲୋକମାନଙ୍କ ଠାରୁ ମିଳିଥିବା ଚିଠିଗୁଡ଼ିକରେ ଏକ ବିଶେଷ ବାର୍ତ୍ତା ରହିଛି ଓ ତାହା ହେଉଛି ଲୋକମାନେ ଦେଶର ଶକ୍ତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଯେତେବେଳେ ଜନତା କର୍ଫ୍ୟୁ ଭଳି ଅଭିନବ ପରୀକ୍ଷଣ ସମଗ୍ର ବିଶ୍ୱ ପାଇଁ ପ୍ରେରଣା ପାଲଟିଥିଲା, ସେତେବେଳେ କରତାଳି ଦେଇ ଦେଶବାସୀ ଏକତା ପ୍ରଦର୍ଶନ କରିଥିଲେ ଓ ଆମର କରୋନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନ ଦେଇଥିଲେ। ଆମ ପାଇଁ ସମୟ ଆହ୍ୱାନପୂର୍ଣ୍ଣ ଥିଲା ଓ ଅନେକ ସଙ୍କଟ ଆସିଥିଲା, ବିଶ୍ୱରେ କରୋନା ସମୟରେ ଯୋଗାଣ ଶୃଙ୍ଖଳାରେ ଅନେକ ପ୍ରତିବନ୍ଧକ ଆସିଥିଲା କିନ୍ତୁ ଆମେ ପ୍ରତ୍ୟେକ ସଙ୍କଟରୁ ନୂତନ ଶିକ୍ଷା ଗ୍ରହଣ କରିଥିଲୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।