ମୋଟର ସାଇକେଲ ବ୍ୟବହାର ଉପରେ କଟକଣା

ମାଲକାନଗିରି,ଏନ୍ଏନ୍ଏସ୍ : ପ୍ରଧାନମନ୍ତ୍ରୀ ସାରା ରାଜ୍ୟରେ ତାଲା ବନ୍ଦ ଘୋଷଣାର ଆଜି ସପ୍ତମ ଦିବସରେ ମାଲକାନଗିରି ଜିଲ୍ଲାରେ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସୀମାନ୍ତ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସୀମାକୁ ସିଲ କରାଯାଇଛି । ଛତିଶଗଡ଼ ସୀମା ଝାପ୍ରାରେ ମଧ୍ୟ ସି.ଆର.ପି.ଏଫ ଓ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ଏକ ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯାନବାହାନର କର୍ମଚାରୀଙ୍କୁ ଥର୍ମାଲ ସ୍କେନର ଯାଂଚ କରାଯାଉଛି । ଏଥିସହ ଜିଲ୍ଲାର ସୀମାନ୍ତ ଚାଲାଣଗୁଡ଼ା, ମୋଟୁ ଓ ଚିତ୍ରକୋଣ୍ଡା ଆଦି ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ବାହାର ରାଜ୍ୟରୁ ଆସୁଥିବା ଯାନବାହାନ ଉପରେ କଟକଣା ଲଗାଯାଇଛି । ଲକଡାଉନ ଯୋଗୁ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ବାଦ ଦେଲେ ଜିଲ୍ଲାର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ଜିଲ୍ଲା ସଦର ମହକୁମା ସମେତ ସମସ୍ତ ସହରର ବିଭିନ୍ନ ଛକ, ସମସ୍ତ ଜନଗହଳି ସ୍ଥାନ, ବଜାର, ବସଷ୍ଟାଣ୍ଡ ଜନଶୂନ୍ୟ ହୋଇପଡ଼ିଛି। ଜିଲ୍ଲାରେ ଆଜିଠାରୁ ରାସନ ସାମଗ୍ରୀ ଓ ପନିପରିବା ପାଇଁ ମୋଟର ସାଇକେଲ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନିକଟସ୍ଥ ବଜାରରୁ ଚାଲି ଚାଲି ଯାଇ ରାସନ ସାମଗ୍ରୀ ଓ ପନିପରିବା କ୍ରୟ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଖିଲାପ କଲେ ଗାଡିଜବତ ହେବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଡାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଯାଇଛି ।

ନିୟମ ଉଲଂଘନ କରିଥିବା ପ୍ରାୟ ୩୦ ଟି ମୋଟର ସାଇକେଲକୁ ଜବତ କରାଯାଇଛି । ଏଥିପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସହରର ପ୍ରବେଶ ପଥ ଓ ଛକ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ମାରୱାଡ଼ି ଯୁବ ମଂଚ ପକ୍ଷରୁ ଗତକାଲି ରାତ୍ରିରେ ପୋଲିସ ବାହିନୀର କର୍ମ ଯୋଦ୍ଧାଙ୍କୁ ଚା, ବିସ୍କୁଟ ବଂଟନ କରାଯାଇଛି । ସେହିପରି ଜିଲ୍ଲା ସଦର ମହକୁମାର ଗରିବ ଓ ଅସହାୟଙ୍କୁ ମାଲକାନଗିରି ଯୁବ ସଂଗଠନ ପକ୍ଷରୁ ଚୁଡ଼ା,ଗୁଡ଼ ଓ ବିସ୍କୁଟ ବଂଟନ କରାଯାଇଛି । ଜିଲ୍ଲାର ମାଥିଲି ସଦର ଗ୍ରାମ ପଂଚାୟତରେ ଗରିବ ଓ ଅସହାୟଙ୍କୁ ରନ୍ଧନ ଖାଦ୍ୟ ଘର ଘର ବୁଲି ନିର୍ବାହୀ ଅଧିକାରୀ ଅଶୋକ କୁମାର ମହାରଣା ଓ ଅନ୍ୟ କର୍ମଚାରୀମାନେ ପ୍ରଦାନ କରୁଥିବା ପରିଲକ୍ଷିତ ହୋଇଛି ।