ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ତାଙ୍ଗିଣିତୋଙ୍ଗ ଗ୍ରାମରେ ବଡ଼ଦିଦି ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ଭିନ୍ନ ରୂପରେ ରଜ ପାଳନ କରାଯାଇଛି। ଜୟନ୍ତୀ ବୁରୁଦାଙ୍କ ନେତୃତ୍ୱରେ ମଧୁସ୍ମିତା ସାହୁ, ଦୀପାରାଣି ନାୟକ, ରାଧିକା ମାଝୀ, କ୍ରୀଷ୍ଣା ଦାସ, ବିନୋତି ସୋଡ଼ି, ଲକ୍ଷ୍ମୀ ମାଦାମି, କେ.ରୋଲାକ୍ସି, ଜ୍ୟୋତିର୍ମୟୀ ଖରା ଗ୍ରାମର ଛାତ୍ରୀ ଓ ଯୁବତୀଙ୍କୁ ଏକତ୍ରିତ କରି ରଜର ଅଭିନନ୍ଦନ ଜଣାଇଥିଲେ। ଏହା ଏକ ଆଦିବାସୀ ବହୁଳ ଗ୍ରାମ ହୋଇଥିବାରୁ ଏମାନେ ରଜ ଉତ୍ସବ ସମ୍ପର୍କରେ ବିଶେଷ କିଛି ଜାଣନ୍ତି ନାହିଁ। ଏହି ଅବସରରେ ସ୍ୱେଚ୍ଛାସେବୀମାନେ ପ୍ୟାଡ ବ୍ୟବହାର ସମ୍ପର୍କରେ ଛାତ୍ରୀ ଓ ଯୁବତୀଙ୍କୁ ସତେଚତନ କରିଥିଲେ। ସରକାର ଆଦିବାସୀ ଛାତ୍ରୀଙ୍କ ପାଠପଢ଼ା ପାଇଁ କେଉଁ ଯୋଜନା କରିଛନ୍ତି ଓ ଏହାକୁ ଉପଯୋଗ କରି କିପରି ଜଣେ ପ୍ରତିଷ୍ଠିତ ହୋଇପାରିବ ବୁଝାଇବା ସହ ବାଲ୍ୟ ବିବାହକୁ ପ୍ରୋତ୍ସାହନ ନଦେବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏତଦବ୍ୟତୀତ କରୋନା ସହ କିପରି ଲଢ଼ିବେ ସେସମ୍ପର୍କରେ ମଧ୍ୟ ସଚେତନ କରାଇଥିଲେ। ପରେ ସେମାନେ ଗ୍ରାମର ଛାତ୍ରୀ ଓ ଯୁବତୀଙ୍କ ଗହଣରେ ଦୋଳିର ମଜା ଉଠାଇଥିଲେ।