ଟିଭି ଫାଟି ଗୋଟିଏ ପରିବାରର ୩ ଗୁରୁତର

ପଦ୍ମପୁର /ବରଗଡ : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ଜମରତଲା ପଂଚାୟତ ଅନ୍ତର୍ଲା ଗ୍ରାମରେ ଟିଭି ଫାଟି ନିଆଁ ଲାଗି ଗୋଟିଏ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଅନ୍ତର୍ଲା ଗ୍ରାମର ସୁନୀଲ ଦେହେରୀ, ତାଙ୍କ ପତ୍ନୀ ଯାଜ୍ଞସେନୀ ଦେହେରୀ ଏବଂ ତିନି ବର୍ଷର ଶିଶୁ ପୁତ୍ର ଚିନ୍ମୟ ବୋଲି ସୂଚନା ମିଳିଛି । ଆହତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ପଦ୍ମପୁର ଏବଂ ପରେ ବରଗଡ଼ ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୋମବାର ସକାଳ ପ୍ରାୟ ୧୦ଟାରେ ସୁନିଲ ଦେହେରୀଙ୍କ ଘରେ ଟିଭି ଫାଟି ନିଆଁ ଲାଗି ଯାଇଥିଲା ।

ଫଳରେ ସୁନିଲଙ୍କ ସମେତ ପତ୍ନୀ ଯାଜ୍ଞସେନୀ ଏବଂ ପୁଅ ଚିନ୍ମୟ ନିଆଁରେ ପୋଡି ଗୁରୁତର ଆହତ ହୋଇଥିଲେ । ପାଖ ପଡ଼ୋଶୀ ନିଆଁକୁ ଆୟତ କରି ପରିବାରବର୍ଗଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଡାକ୍ତରଖାନା ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବରଗଡ଼ ଜିଲ୍ଳା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଟିଭି ଫାଟିଥିବା ଅନୁମାନ କରାଯାଉଛି । ଅପରପକ୍ଷେ ଘରର ବହୁ ଆସବାସପତ୍ର ତଥା ମୂଲ୍ୟବାନ ସାମଗ୍ରୀ ନିଆଁରେ ପୋଡି ଯାଇଥିବା ସୂଚନା ମିଳିଛି ।