ଜଳିଗଲା ୨ ଟି ଫଳ ଦୋକାନ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ରାସ୍ତାକଡ଼ରେ ଥିବା ୨ ଟି ଫଳ ଦୋକାନ ଜଳିଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ଦୋକନ ମାଲିକମାନେ ମଶା ଧୂଆଁ ଲଗାଇ ଶୋଇଥିଲେ। ଏହି ସମୟରେ ନିଆଁ ଫଳ ରଖାଯାଇଥିବା ପାଳରେ ଲାଗିଯାଇଥିଲା। ସେହି ନିଆଁ ଦୋକାନ ସାରା ବ୍ୟାପିଯାଇଥିଲା। ଖବରପାଇ ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ଓ ଅଗ୍ନିଶମ ସେବା ବାହିନୀର କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ସିତେଶ୍ୱର ବେହେରା ଓ ଭଗବାନ ହରିଜନଙ୍କ ସମସ୍ତ ଫଳ ପୋଡ଼ି ନଷ୍ଟ ହୋଇଯାଇଛି। ଏଥିସହ ଶ୍ରୀ ବେହେରାଙ୍କ ୨ ଶହରୁ ଊର୍ଦ୍ଧ ଟ୍ରେ, ଏକ ମୋବାଇଲ ଫୋନ ଓ ନଗଦ ୧୪ ହଜାର ଟଙ୍କା ଏବଂ ଶ୍ରୀ ହରିଜନଙ୍କର ଫଳ ଏବଂ ୧୦ ହଜାର ୫ ଶହ ଟଙ୍କା ପୋଡ଼ିଯାଇଛି। ଶ୍ରୀ ବେହେରାଙ୍କ ପ୍ରାୟ ୯୦ ହଜାର ଟଙ୍କା ଓ ଶ୍ରୀ ହରିଜନଙ୍କର ପ୍ରାୟ ୫୫ ହଜାର ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣାପଡ଼ିଛି।