ପଥର କମ୍ପାନୀକୁ ବିରୋଧ କରି ଜିଲ୍ଲାପାଳଙ୍କୁ ପତ୍ର

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଆମାକୁଣ୍ଡରେ ପ୍ରସ୍ତାବିତ ପଥର କମ୍ପାନୀକୁ ବିରୋଧ କରି ୫ଟି ପଞ୍ଚାୟତର ଜନସାଧାରଣ ମାଲାକନଗିରି ଜିଲ୍ଲାପାଳଙ୍କୁ ପତ୍ର ଲେଖି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଜିଲ୍ଲାର ଖଇରପୁଟ ବ୍ଲକର ଖଇରପୁଟ, ରାସବେଡା, କଦମଗୁଡା, ପୋଡଘାଟା, କୁଡୁମୁଲୁଗୁମ୍ମା ପଞ୍ଚାୟତ ଅଞ୍ଚଳର ଆମାକୁଣ୍ଡ ପର୍ବତକୁ ୬ ଶହ ଏକର ଜମି ଲିଜ ଆକାରରେ ନେଇ ଖନନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି।

ଏହି ପର୍ବତ ଉକ୍ତ ୫ଟି ପଞ୍ଚାୟତର ଜନସାଧାରଣଙ୍କ ଜୀବନ ଜୀବିକ ସହ ଜଡିତ। ଏହି ପର୍ବତରେ ଆମାକୁଣ୍ଡ ଶୈବପୀଠ ଓ ଅନେକ ଦେବାଦେବୀଙ୍କ ପୀଠସ୍ଥଳୀ ରହିଛି। ଯଦି ଏହାକୁ ଖନନ କରାଯାଏ ତାହେଲେ ଏହି ପର୍ବତରେ ଥିବା ମୂଲ୍ୟବାନ ଗଛ ସହ ଏହି ଦର୍ଶନୀୟ ସ୍ଥାନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯିବ। ପର୍ବତ ଖନନ ଦ୍ୱାରା ଉକ୍ତ ସ୍ଥାନର ମାଟି ନିମ୍ନରେ ଥିବା ମାଁ ଦାମଲଦେଇ ନଦୀ, ମାଡକା ଯୋଡି, ରାସବେଡା ପଞ୍ଚାୟତର ବାଘଗାଡ ଏହି ସବୁ ଛୋଟ ବଡ଼ ନଦୀ ପୋତି ହୋଇଯିବ। ଯାହାଫଳରେ ଏହି ଅଞ୍ଚଳରେ ଚାଷ କାମରେ ବାଧା ଉପୁଜିବ। ତେଣୁ ଉକ୍ତ କମ୍ପାନୀ ଲିଜକୁ ବାତିଲ କରାଯିବାସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଏହି ୫ଟି ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି।