କାନାଡାରେ ବାପୁଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ଟରୋଣ୍ଟୋ,ଏଜେନ୍ସି: କାନାଡାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତିକୁ ଭଙ୍ଗାଯିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇ ପାରିନାହିଁ ସ୍ଥାନୀୟ ପୋଲିସ । ଯାହାକୁ ନେଇ ଭାରତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । କାନାଡା ରାଜଧାନୀ ଟରୋଣ୍ଟୋରେ ଅବସ୍ଥାପିତ ଭାରତୀୟ କନସୁଲେଟ୍ ଜେନେରାଲ, ଏପରି ଘଟଣା ସେଠାରେ ଥିବା ପ୍ରବାସୀ ଭାରତୀୟ ସମ୍ପ୍ରଦାୟର ଭାବନାକୁ ଗଭୀର ଆଘାତ ଦେଇଛି ବୋଲି କହିଛନ୍ତି । ଘଟଣାରେ କାନାଡା ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି ମଧ୍ୟ କରିଛନ୍ତି ।

ସୂଚନା ଅନୁସାରେ, ରିଚମଣ୍ଡ ହିଲ ଅଞ୍ଚଳରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ । ଘଟଣା ସମ୍ପର୍କରେ ଜଣାପଡିବା ପରେ ସେଠାରେ ଥିବା ପ୍ରବାସୀ ଭାରତୀୟ ସମୁଦାୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଦୁର୍ବୃତ୍ତଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଥିଲା । କିନ୍ତୁ ଏବେ ଯାଏ ମଧ୍ୟ ପୋଲିସ ଏହି ଘଟଣାରେ କାହାକୁ ଗିରଫ ନକରିବା ଘଟଣା ନେଇ ସେଠାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ଭାରତୀୟ ଦୂତାବାସ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ସରକାରଙ୍କ ଉପରେ ଚାପ ମଧ୍ୟ ଜାରି ରଖିଛି ।