ଆସନ୍ତା ୫ ଦିନ ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ଜାରୀ ରହିଛି ଲଘୁଚାପ ଜନିତ ବର୍ଷା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ନାହିଁ ନିସ୍ତାର । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରୀ କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରୀ କରାଯାଇଛି ।

ଚଳିତ ମାସରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ସହ ଦୁଇଟି ଯାକ ସ୍ଥଳଭାଗରେ କେନ୍ଦ୍ରୀଭୁତ ହୋଇଛି । ଫଳରେ ଘନୀଭୂତ ହେଉଛି ଓ୍ବେଲମାର୍କ ଲୋ ପ୍ରେସର । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରୀ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ବାର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲଘୁଚାପ ଜନିତ ବର୍ଷା କାରଣରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସାଙ୍ଘାତିକ ସ୍ଥିତି ସୃଷ୍ଟି ହୋଇପାରେ । ମାଟି ଧସିବା ସହ ନଦୀର ସ୍ତର ବୃଦ୍ଧି ପାଇପାରେ । ଏହା କାରଣରୁ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ଏବଂ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇପାରେ ।

ପାଣିପାଗ ବିଭାଗର ଆକଳନ ଅନୁସାରେ ୧୪ ଜୁଲାଇ ଗୁରୁବାର ଠାରୁ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢିବ । ୭୦ ମିଲିମିଟରରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ରାଜ୍ୟରେ ଏବେ ମୌସୁମୀ ଟ୍ରପଲାଇନ୍ ସକ୍ରୀୟ ରହିଛି । ଓ୍ବେଲମାର୍କ ଲୋ ପ୍ରେସର ସହ ସୃଷ୍ଟି ହୋଇଥିବା ଆଉ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରୀ ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଗଞ୍ଜାମ, ନୟାଗଡ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରୀ କରାଯାଇଥିବା ବେଳେ ଦକ୍ଷିଣ ଉପକୂଳ ଓଡ଼ିଶାର ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରୀ କରାଯାଇଛି ।

ସେପଟେ ଚଳିତ ମୌସୁମୀ ସିଜିନରେ ମୋଟ ୨ଟି ଲଘୁଚାପ ସୃଷ୍ଟି ହୋଇଛି । ଦୁଇଟି ଯାକ ସ୍ଥଳଭାଗରେ ସୃଷ୍ଟି ହୋଇଥିବା ବେଳେ ଏଯାଏଁ ବଙ୍ଗୋପସାଗରରେ ଗୋଟିଏ ବି ଲଘୁଚାପ ସୃଷ୍ଟି ହୋଇନାହିଁ । କିନ୍ତୁ ବର୍ତ୍ତମାନ ସକ୍ରୀୟ ଥିବା ଲଘୁଚାପ ଗତ ୩ ଦିନ ହେବ ଓଡ଼ିଶାରେ ପ୍ରଭାବ ପକାଇ ଥିବାବେଳେ ଆସନ୍ତା ୩ ରୁ ୪ ଦିନ ଯାଏଁ ମଧ୍ୟ ତାର ପ୍ରଭାବ ରହିବ । ୧୫ ତାରିଖରେ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରୀ କରାଯାଇଛି । ୧୬ ତାରିଖରୁ ଉତ୍ତର ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଯାଜପୁର ଆଦି ଜିଲ୍ଲାରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୨୦ ରୁ ୩୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ୧୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଦୁଇ ଦୁଇଟି ଲଘୁଚାପ ସତ୍ତ୍ବେ ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୩୧୭.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । କିନ୍ତୁ ଏହି ସମୟ ମଧ୍ୟରେ ୩୩୪.୪ ମିଲିମିଟର ବର୍ଷା ରେକର୍ଡ ହେବା କଥା । ଯାହା ସ୍ବାଭାବିକ ଠାରୁ ୫ ପ୍ରତିଶତ କମ୍ । ରାଜ୍ୟର ୬ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଏବେ ବି ୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ, ସୁନ୍ଦରଗଡ ଏବଂ ଖୋର୍ଦ୍ଧାରେ ୪୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।