ମହାରାଷ୍ଟ୍ରରେ ଜନତା କର୍ଫ୍ୟୁ ଜାରି

ମୁମ୍ବାଇ,ଏଜେନ୍ସି: କ୍ରମବର୍ଦ୍ଧିଷ୍ଣୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ବୁଧବାର ରାତି ୮ଟାରୁ ରାଜ୍ୟବ୍ୟାପୀ ଜନତା କର୍ଫ୍ୟୁ ଲାଗୁ କରାଯାଇଛି। ସଂକ୍ରମଣ ରୋକିବାକୁ ଏଭଳି ନିଷ୍ପତ୍ତି ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ମଙ୍ଗଳବାର ଘୋଷଣା କରିଥିଲେ। ମେ’ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ୧୪୪ ଧାରା ଜାରି କରାଯାଇଥିବାବେଳେ ରାତି ୮ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ବୈଧ କାରଣ ନଥିବା ଲୋକଙ୍କୁ ବାହାରକୁ ବାହାରିବା ଉପରେ କଡା ନିଷେଧାଜ୍ଞା ଜାରି କରାଯାଇଛି। ପରିସ୍ଥିତି ଉପରେ ନଜର ରଖିବାକୁ ରାଜ୍ୟରେ ମୋଟ ୨ ଲକ୍ଷ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ମହାରାଷ୍ଟ୍ର ପୁଲିସ ମହାନିର୍ଦ୍ଦେଶକ ସଞ୍ଜୟ ପାଣ୍ଡେ ସୂଚନା ଦେଇଛନ୍ତି। ଏମାନଙ୍କ ବ୍ୟତୀତ ୧୩,୨୦୦ ହୋମାଗାର୍ଡ ଓ ୨୨ କମ୍ପାନୀ ରାଜ୍ୟ ରିଜର୍ଭ ପୁଲିସ ଫୋର୍ସଙ୍କୁ ସଜାଗ ରଖାଯାଇଛି। ଆବଶ୍ୟକ ପଡିଲେ ଏମାନଙ୍କୁ ମୁମ୍ବାଇ ଓ ପୁଣେ ଭଳି ସ୍ପର୍ଶକାତର ସହରରେ ମୁତୟନ କରାଯିବ ବୋଲି ସେ କହିଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ପ୍ରଦାନ କରାଯିବ। ସାଧାରଣ ଲୋକଙ୍କ ଯାତାୟାତ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ଡାକ୍ତରଖାନା, ବିଦ୍ୟୁତ କାର୍ଯ୍ୟାଳୟ, ଅଗ୍ନିଶମ ବିଭାଗ ଭଳି ଜରୁରୀ ସେବାକୁ ଖୋଲା ରଖାଯାଉଥିବାବେଳେ ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ। ରାସ୍ତାକଡରେ ଭେଣ୍ଡରମାନେ ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ବିକ୍ରିବଟା କରିପାରିବେ, ତେବେ ଲୋକେ ସେଠାରେ ଛିଡା ହୋଇ ଖାଦ୍ୟ ଖାଇପାରିବେ ନାହିଁ। ରାଜ୍ୟରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ନିମନ୍ତେ ଅମ୍ଳଜାନର ଅଭାବ ପରିଲକ୍ଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ତୁରନ୍ତ ଅମ୍ଳଜାନ ସିଲିଣ୍ଡର ଯୋଗାଇଦେବାକୁ ପଡୋଶୀ ଛତିଶଗଡ଼, ମଧ୍ୟପ୍ରଦେଶ ଓ ଗୁଜରାଟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ ଜଣାଇଛନ୍ତି। କଟକଣା ସମୟରେ କେବଳ ଅତ୍ୟାବଶ୍ୟକ ସେବା ଏବଂ ଏଥିରେ ନିୟୋଜିତ କର୍ମଚାରୀଙ୍କୁ ଯାତାୟାତର ଅନୁମତି ମିଳିବ ବୋଲି କୁହାଯାଇଛି। ମେ’ ୧ ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ବଳବତ୍ତର ରହୁଥିବାବେଳେ ଚଳଚ୍ଚିତ୍ର କିମ୍ବା ଟିଭି ସିରିଏଲର ସୁଟିଂକୁ ବାତିଲ କରାଯାଇଛି। ବାହାଘର, ଭୋଜି କିମ୍ବା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନରେ ସର୍ବାଧିକ ୨୫ ଜଣ ଲୋକ ଯୋଗଦେଇପାରିବେ ବୋଲି କୁହାଯାଇଛି। ଟ୍ରେନ, ବସ୍ ସେବା, ଡାଲିଚାଉଳ, ପନିପରିବା ଦୋକାନ ଖୋଲା ରହୁଥିବାବେଳେ ଲୋକେ ଭିଡ ନ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଜନତା କର୍ଫ୍ୟୁ ଲାଗୁ ହେବାପରେ ଏଠାରେ କାର୍ଯ୍ୟ କରୁଥିବା ସହସ୍ରାଧିକ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ବାହୁଡିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଜନତା କର୍ଫ୍ୟୁ ସମୟରେ ଗରିବ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୫୪୭୬ କୋଟି ଟଙ୍କାର ରିଲିଫ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି।