ମହାରାଷ୍ଟ୍ର ଏବଂ ରାଜସ୍ଥାନ କଂଗ୍ରେସର ଆକାଉଣ୍ଟ ବ୍ଲକ୍‌ କଲା ଟ୍ୱିଟର

ନୂଆଦିଲ୍ଲୀ,ଏଜେନ୍ସି: ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଆକାଉଣ୍ଟ ଲକ୍‌ କରିବା ପରେ ଟ୍ୱିଟର ଆକ୍ସନ ଜାରି ରଖିଛି। ମହାରାଷ୍ଟ୍ର କଂଗ୍ରେସ ଏବଂ ବରିଷ୍ଠ ନେତା ବାଲାସାହେବ ଥୋରାଟଙ୍କ ଟ୍ୱିଟର ହ୍ୟାଣ୍ଡେଲ୍‌ ମାଇକ୍ରୋବ୍ଲଗିଂ ସାଇଟ୍‌ ବ୍ଲକ୍‌ କରିଥିବା ନେଇ ମହାରାଷ୍ଟ୍ରର ଗୃହ ଏବଂ ଆଇଟି ରାଜ୍ୟ ମନ୍ତ୍ରୀ ସତେଲ ପାଟିଲ ଦାବି କରିଛନ୍ତି।

ଏହା ବ୍ୟତୀତ ରାଜସ୍ଥାନ କଂଗ୍ରେସର ପ୍ରଦେଶ କଂଗ୍ରେସ କମିଟିର ଆକାଉଣ୍ଟକୁ ମଧ୍ୟ ବ୍ଲକ୍‌ କରିଛି ଟ୍ୱିଟର। ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରି ପାଟିଲ ଲେଖିଛନ୍ତି, ବିଜେପି ସରକାର ଭୟ କରୁଛି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଜ ଇସାରାରେ ନଚାଉଛି। ଦିଲ୍ଲୀରେ ଜଣେ ନାବାଳିକାର ଦୁଷ୍କର୍ମ ପରେ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିଜନଙ୍କ ଫଟୋ ଟ୍ୱିଟରରେ ପୋଷ୍ଟ କରିବାକୁ ନେଇ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ବ୍ଲକ୍‌ କରିଥିଲା ଟ୍ୱିଟର।

ପରେ କଂଗ୍ରେସ ପାର୍ଟି ଏବଂ ଏହାର ଅନେକ ବରିଷ୍ଠ ନେତା ସେହିସବୁ ଫଟୋ ସେୟାର କରିବା ସହ ସେମାନଙ୍କ ଆକାଉଣ୍ଟ ବ୍ଲକ୍‌ କରିବାକୁ ନେଇ ଚ୍ୟାଲେଞ୍ଜ କରିଥିଲେ। ଅନ୍ୟପଟେ ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ଆକାଉଣ୍ଟକୁ ବ୍ଲକ୍‌ କରିଦେଇଛି ଟ୍ୱିଟର। ଏନେଇ ରାଜସ୍ଥାନ ପିସିସି ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା ସୂଚନା ଦେଇଛନ୍ତି।