ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି। ରାଜୌରୀରେ ଗୁରୁବାର ରାତିରେ ବିଜେପି ମଣ୍ଡଳ ସଭାପତିଙ୍କ ଘର ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୫ ଜଣ ଆହତ ହୋଇଥିବା ବେଳେ ଜଣେ ଶିଶୁର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମ ଏହି ରିପୋର୍ଟ କରିଛି। ଆହତମାନଙ୍କୁ ରାଜୌରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହା ପୂର୍ବରୁ ଗୁରୁବାର କୁଲଗାମର କାଜିଗୁଣ୍ଡ ଅଞ୍ଚଳରେ ମୀର ବଜାରରେ ବିଏସଏଫ ଶିବିରକୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ମାତ୍ର ଏହି ଘଟଣାରେ କାହାରି କିଛି କ୍ଷତି ହୋଇନଥିଲା। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ମାଲପୋରା ଅଞ୍ଚଳରେ ମଧ୍ୟ ଗୁଳିର ଶବ୍ଦ ଶୁଭିଥିଲା।
କୁଲଗାମ ଜିଲ୍ଲାରେ ବିଏସଏଫର ଗାଡ଼ି ଉପରେ ଗୁଳିମାଡ଼ ହୋଇଥିଲା। ଏହା ପରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏଥିରେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ଜଣେ ଅଧିକାରୀ କହିଛନ୍ତି, ବିଏସଏଫ ଗାଡ଼ି ଉପରେ ଯେତେବେଳେ ଆକ୍ରମଣ ହୋଇଥିଲା, ସେହି ସମୟରେ ସେମାନେ ଜମ୍ମୁରୁ ଶ୍ରୀନଗର ଅଭିମୁଖେ ଯାଉଥିଲେ।