୨ୟ ଶ୍ରୀକ୍ଷେତ୍ରରେ ଲାଗୁହେଲା ୧୪୪ ଧାରା

ବାରିପଦା,ଏନ୍ଏନ୍ଏସ୍: ୨ୟ ଶ୍ରୀକ୍ଷେତ୍ର ବାରିପଦାରେ ୨୬ ବର୍ଷପରେ ହେବ ଦେବଦୁର୍ଲଭ ନାଗାର୍ଜୁନ ବେଶ। ମାତ୍ର ଏହି ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । କରୋନା କଟକଣା କାରଣରୁ କେବଳ ବିଧିମୁତାବକ ସେବାୟତ ଏବଂ ବେଶ କାରିଗରମାନେ ଏହି ବେଶ ପ୍ରସ୍ତୁତ କରିବେ। ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଏହି ବହୁପ୍ରତିକ୍ଷୀତ ବେଶ ଦର୍ଶନରେ କରୋନା ମହାମାରୀ ଅନ୍ତରାୟ ସୃଷ୍ଟି କରିଛି। ମନ୍ଦିର ଚାରିପଟେ ଆଜିଠାରୁ ୧୪୪ ଧାରା ଲାଗୁ କରାଯାଇଛି। ଅମ୍ବିକା ମନ୍ଦିର ଏବଂ ଶ୍ରୀ ହରିବଳଦେବଜୀଉ ମନ୍ଦିର ଚାରିପଟେ ୧୪୪ ଧାରା ପଞ୍ଚୁକ ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବାରିପଦା ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ଅନ୍ୱେଷା ରେଡ୍ଡୀ ସୂଚନା ଦେଇଛନ୍ତି।

ଏହି କଟକଣା ଚଳିତମାସ ୩୦ ପର୍ଯ୍ୟନ୍ତ ଜାରି ରହିବ। ଚଳିତବର୍ଷ ପଞ୍ଚୁକ ୫ ଦିନ ପରିବର୍ତ୍ତେ ଛଅ ଦିନ ପଡ଼ିଛି। ଦ୍ୱାଦଶୀ ତିଥି ଦୁଇଦିନ ପଡ଼ୁଥିବାରୁ ଚଳିତବର୍ଷ ନାଗାର୍ଜୁନ ବେଶ ଦ୍ୱିତୀୟ ଦ୍ୱାଦଶୀ ଅର୍ଥାତ ଆସନ୍ତାକାଲି ଶ୍ରୀହରିବଳଦେବଜୀଉଙ୍କ ପୀଠରେ ହେବ। ୨ୟ ଶ୍ରୀକ୍ଷେତ୍ର ବାରିପଦାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶ ୧୯୯୬ରେ ହୋଇଥିଲା। ପୁଣିଥରେ ଆସନ୍ତାକାଲି ଏହି ବେଶ ହେବ।