କେଏଲ୍ ରାହୁଲଙ୍କ ବ୍ୟାଟ୍‌ରୁ ରେକର୍ଡ ବର୍ଷା, ନିଜ ନାଁରେ କଲେ ୫ କୀର୍ତ୍ତିମାନ

ମୁମ୍ବାଇ,ଏଜେନ୍ସି: କେଏଲ୍ ରାହୁଲଙ୍କ ଅପରାଜିତ ଶତକ ବଳରେ ଲଖନଉ ସୁପର ଜ୍ୟାଣ୍ଟ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ ଜିତିଛି । ଲଖନଉ ୬ ୱିକେଟ୍‌ରେ ୧୬୮ ରନ୍ କରିଥିଲଶ । କେଏଲ୍ ରାହୁଲ ୬୨ଟି ବଲ୍ ଖେଳି ୧୨ ଚୌକା ଓ ୪ଟି ଛକା ବଳରେ ୧୦୩ ରନ୍ କରିଥିଲେ । ଚଳିତ ସଂସ୍କରଣର ଆଇପିଏଲ୍‌ରେ ସେ ୨ୟ ଶତକ ହାସଲ କରିଛନ୍ତି । ସେ ଏହା ପୂର୍ବରୁ ମଧ୍ୟ ମୁମ୍ବାଇ ବିପକ୍ଷରେ ଗତ ୧୬ ତାରିଖ ଦିନ ୬୦ଟି ବଲ ଖେଳି ୧୦୩ ରନ୍ କରିଥିଲେ ।

କେଏଲ୍ ରାହୁଲ ଓଭରଅଲ ଟି-୨୦ କ୍ରିକେଟରେ ଭାରତ ତରଫରୁ ସର୍ବାଧିକ ଶତକ ହାସଲ କରିବା ସହିତ ରୋହିତ ଶର୍ମାଙ୍କ ସମକକ୍ଷ ହୋଇଛନ୍ତି । ରୋହିତଙ୍କ ନାଁରେ ଇଣ୍ଟରନ୍ୟାସନାଲ ଓ ଆଇପିଏଲ୍‌ରେ ୬ ଶତକ ରହିଛି । ବିରାଟ କୋହଲିଙ୍କ ନାଁରେ ୫ଟି ଶତକ ରହିଛି ।

ଆଇପିଏଲ୍‌ରେ କେଏଲ୍ ରାହୁଲ ଏପର୍ଯ୍ୟନ୍ତ ମୋଟ ୪ଟି ଶତକ ହାସଲ କରିଛନ୍ତି । ଜୋସ ବଟଲର ମଧ୍ୟ ଏତିକି ଶତକ ମାରିଛନ୍ତି । କ୍ରିସ ଗେଲ ୬ଟି ଶତକ ମାରିଛନ୍ତି । କେଏଲ୍ ରାହୁଲ ମୁମ୍ବାଇ ବିପକ୍ଷରେ ୩ଥର ଶତକ ହାସଲ କରିସାରିଛନ୍ତି । ପୂର୍ବରୁ ସେ ୨୦୧୯ରେ ମଧ୍ୟ ଏକ ଶତକ ହାସଲ କରିଥିଲେ । କୌଣସି ନିଦ୍ଧିଷ୍ଟ ଟିମ୍ ବିପକ୍ଷରେ ୩ଥର ଶତକ ମାରିବାରେ ସେ ହେଉଛନ୍ତି ପ୍ରଥମ ଖେଳାଳି ।

କେଏଲ୍ ରାହୁଲ ବିରାଟ କୋହଲିଙ୍କ ପରେ ୨ୟ ଖେଳାଳି ହୋଇପାରିଛନ୍ତି, ଯିଏକି କୌଣସି ଏକ ସଂସ୍କରଣରେ ଗୋଟିଏ ଟିମ୍ ବିପକ୍ଷରେ ୨ଥର ଶତକ ହାସଲ କରିଛନ୍ତି । ପୂର୍ବରୁ ଏହି କାମ ବିରାଟ କୋହଲି ୨୦୧୬ରେ ଗୁଜରାଟ ଲାୟନ୍ସ ବିପକ୍ଷରେ କରିଥିଲେ । କେଏଲ୍ ରାହୁଲ ଏବେ ଜୋସ ବଟଲରଙ୍କୁ ଟକ୍କର ଦେଉଛନ୍ତି । ଚଳିତ ସଂସ୍କରଣରେ ମୋଟ ୫ରୁ ବଟଲରଙ୍କ ନାଁରେ ୩ଟି ଶତକ ରହିଛି । କେଏଲ୍ ରାହୁଲ ୨ଟି ଶତକ ମାରିଛନ୍ତି ।