ଇମାନୁଏଲ ମାଇକ୍ରୋ ଲଗାତାର ୨ୟ ଥର ଫ୍ରାନ୍ସର ରାଷ୍ଟ୍ରପତି, ଶୁଭେଚ୍ଛା ଜଣାଇଲେ ଜେଲେନ୍‌ସ୍କି

ପ୍ୟାରିସ,ଏଜେନ୍ସି: ଫ୍ରାନ୍ସର ବର୍ତ୍ତମାନ ରାଷ୍ଟ୍ରପତି ଇମାନୁଏଲ୍ ମାଇକ୍ରୋ ଲଗାତାର ୨ୟ ଥର ନିର୍ବାଚନ ଜିତିଛନ୍ତି । ସେ ନିର୍ବାଚନ ଜିତିବା ପରେ କ୍ରମାଗତ ଭାବେ ୨ୟ ଥର ରାଷ୍ଟ୍ରପତି ହୋଇପାରିଛନ୍ତି । ମାଇକ୍ରୋଙ୍କୁ ୫୮.୨ ପ୍ରତିଶତ ଭୋଟ ମିଳିଛି । ସେ ମରୀନ ଲେ ପେନ୍‌ଙ୍କୁ ହରାଇ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ପୂର୍ବରୁ ଅନୁମାନ କରାଯାଉଥିଲା ଯେ, ମାଇକ୍ରୋଙ୍କୁ ୫୭ରୁ ୫୮ ପ୍ରତିଶତ ଭୋଟ ମିଳିବ ।

ମାଇକ୍ରୋଙ୍କ ବିଜୟ ପରେ ପ୍ୟାରିସର ଏଫିଲ ଟାୱାର ନିକଟରେ ତାଙ୍କର ସମର୍ଥକମାନେ ଖୁସି ପାଳନ କରିଛନ୍ତି । ଚ୍ୟାପ ଡେ ମାର୍ସ ପାର୍କରେ ଏକ ବିଶାଳ ସ୍କ୍ରିନରେ ରେଜଲ୍ଟ ପ୍ରଦର୍ଶିତ ହୋଇଥିଲା । ସମର୍ଥକମାନେ ଜଣେ ଅନ୍ୟକୁ ଶୁଭେଚ୍ଛା ଜଣାଉଥିଲେ । ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଟୁଇଟ୍ କରି ଇମାନୁଏଲ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଫ୍ରାନ୍ସ ହେଉଛି ଆମର ନିକଟତର ଏବଂ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ । ଆମର ୨ ଦେଶ ବିଶ୍ୱପାଇଁ ବଡ଼ ଯୋଗଦାନ ଦେଉଛି ।

ସେହିପରି ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଜେଲେନ୍‌ସ୍କି ରବିବାର ମାଇକ୍ରୋଙ୍କୁ ୟୁକ୍ରେନ୍‌ର ବନ୍ଧୁ କହିଛନ୍ତି ଓ ସମର୍ଥନର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ମୋର ବିଶ୍ୱାସ ଯେ, ଆମେ ସଂଯୁକ୍ତ ବିଜୟ ସହିତ ଆଗକୁ ବଢ଼ିବା । ଏକ ସମୃଦ୍ଧ ୟୁରୋପ ଗଢ଼ିବା ।