୫ ଦିନରେ ଉଠିଲା ପିଚୁ: ନିମ୍ନମାନର କାର୍ଯ୍ୟ ଅଭିଯୋଗ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ପୌରପରିଷଦ ଅନ୍ତର୍ଗତ ୧୫ ନମ୍ବର ୱାର୍ଡରେ ନିମ୍ନମାନର ରାସ୍ତା କାମ ହୋଇଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି। ମାଲକାନଗିରି ପୌର ପରିଷଦର ୧୫ ନମ୍ବର ୱାର୍ଡସ୍ଥିତ ତାମିଲି କ୍ୟାମ୍ପ ଛକଠାରୁ ରିକ୍ଳାମେସନ କଲୋନୀ ପର୍ଯ୍ୟନ୍ତ ନବନିର୍ମିତ ପିଚୁ ରାସ୍ତା କାର୍ଯ୍ୟ ଗତ ୫ ଦିନ ତଳେ ଶେଷ ହୋଇଥିବାବେଳେ ଏବେଠୁ ପିଚୁ ଉଠୁଛି। ରାସ୍ତା କାର୍ଯ୍ୟ ଏତେ ନିମ୍ନମାନର ହୋଇଛି ଯେ ମାତ୍ର ୫ ଦିନରେ ଗାତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପାଦରେ ଚାଲି ଚାଲି ଗଲେ ମଧ୍ୟ ରାସ୍ତା ଉପରୁ ପିଚୁ ବାହାରି ପଡୁଥିବା ୱାର୍ଡବାସିନ୍ଦା ଅଭିଯୋଗ କରିଛନ୍ତି। ପୌର ପରିଷଦର ଅଧିକାରୀ ଓ ଯନ୍ତ୍ରୀମାନେ ତଦାରଖ କରୁନଥିବାରୁ ଏଭଳି ନିମ୍ନମାନର କାର୍ଯ୍ୟ ହେବାସହ ଜନସାଧରଣଙ୍କ ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ଏହା ଠିକ ଭାବେ ଉପଯୋଗ କରାଯାଉନଥିବା ପୂର୍ଣ୍ଣିମା ସାହା , ଗୀତାଞ୍ଜଳି ମହାପାତ୍ର, ସନ୍ତୋଷ ମହାନ୍ତି ଓ ରମେଶ ଦୂର୍ଗା ଅଭିଯାଗ କରିଛନ୍ତି। ତେବେ ଏହି ରାସ୍ତାକୁ ପୁନଃନିର୍ମାଣ କରିବା ପାଇଁ ୱାର୍ଡବାସିନ୍ଦା ଦାବି କରିଛନ୍ତି। ଏଥିସହିତ ଯଥାଶୀଘ୍ର ରାସ୍ତା ପୁନଃନିର୍ମାଣ କରାନଗଲେ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।