ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ଲତା ମଙ୍ଗେସକର, ସଚ୍ଚିନ ତେନ୍ଦୁଲକର, ବିରାଟ କୋହଲୀ ଓ ଅକ୍ଷୟ କୁମାର ସମେତ ଅନେକ ସେଲିବ୍ରିଟି ଟ୍ୱିଟ କରିଥିଲେ। ଆଉ ମୋଦୀ ସରକାରଙ୍କ ପ୍ରଭାବରେ ସେଲିବ୍ରିଟି ଏମିତି କରିଥିବା ସନ୍ଦେହ କରି ମହାରାଷ୍ଟ୍ର ସରକାର ସମସ୍ତଙ୍କ ଟ୍ୱିଟକୁ ଯାଞ୍ଚ କରିବାକୁ ଯାଉଛନ୍ତି।
କୃଷକ ଆନ୍ଦୋଳନକୁ ନେଇ ପପ୍ ଷ୍ଟାର ରିହାନା ଟ୍ୱିଟ୍ କରିବା ପରେ ଚାରିଆଡ଼ୁ ଜୋରଦାର ବିରୋଧ ହୋଇଥିଲା। ପରେ ବିଦେଶୀ ହସ୍ତୀଙ୍କୁ ବୁଝିବିଚାରି ନିଜ ମତ ରଖିବାକୁ ବିଦେଶ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଥିଲା। ବିଦେଶ ମନ୍ତ୍ରଣାଳୟର ସେହି ଟ୍ୱିଟକୁ ଲତା ମଙ୍ଗେସକର, ସଚ୍ଚିନ ତେନ୍ଦୁଲକର, ବିରାଟ କୋହଲୀ, ସୁନୀଲ ସେଟ୍ଟୀ ଓ ଅକ୍ଷୟ କୁମାରଙ୍କ ଭଳି ବଡ଼ ସେଲିବ୍ରିଟି ରିଟ୍ୱିଟ୍ କରି ଦେଶର ମର୍ଯ୍ୟାଦା ରକ୍ଷା କରିଥିଲେ। ଆଉ ଏବେ ମହାରାଷ୍ଟ୍ର ସରକାର ଏସବୁ ଟ୍ୱିଟର ଯାଞ୍ଚ କରିବାକୁ ଯାଉଛି।
ମହାରାଷ୍ଟ୍ର ସରକାରର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ‘ରିହାନାଙ୍କ ଟ୍ୱିଟ୍ ପରେ ସଚ୍ଚିନ, ଲତା, ବିରାଟଙ୍କ ସମେତ ଅନେକ ହସ୍ତୀ ଟ୍ୱିଟ୍ କରିଥିଲେ ଯାହାର ଢାଞ୍ଚା ସମାନ ଥିଲା। ଖାସ୍ କରି ସାଇନା ଓ ଅକ୍ଷୟଙ୍କ ଟ୍ୱିଟ୍ ଏକଦମ୍ ସମାନ ଥିଲା। ଏସବୁ ଟ୍ୱିଟର ସମୟ ମଧ୍ୟ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି। ସେଥିପାଇଁ ରାଜ୍ୟ ଇଣ୍ଟେଲିଜେନ୍ସ ବିଭାଗ ଏହାର ଯାଞ୍ଚ କରିବ।’