ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ଯୁବତୀଙ୍କ ପରିବାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ରେଙ୍ଗାଲି କିଶାନ ପଡ଼ାରୁ ସୋମବାର ଏକ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି। ମୃତକ ଦ୍ୱୟ କିଶାନ ପଡ଼ାର ବିଦେଶୀ କିଶାନଙ୍କ ପୁଅ ସୁବ୍ରତ(୨୭) ଓ ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଗୁମକାରମା ଗ୍ରାମର ବଶୁଦେବ ପିଙ୍ଗଙ୍କ ଝିଅ ସୁମତୀ ପିଙ୍ଗ(୨୨) ବୋଲି ଜଣାପଡ଼ିଛି। ପୁଲିସ ଉଭୟଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଯୁବତୀଙ୍କ ପରିବାର ଲୋକ ଏହା ଅତ୍ମହତ୍ୟା ନୁହେଁ ବରଂ ଏକ ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ନେଇ ଆଜି ଯୁବତୀଙ୍କ ମାମୁ ସଙ୍କିର୍ତନ କିସାନ ଓ ପରିବାରବର୍ଗ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଭାଣିଜୀ ସୁମତି ଓ ସୁବ୍ରତଙ୍କୁ ସୁବ୍ରତଙ୍କ ପରିବାର ଲୋକେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି ବୋଲି ମାମୁ କହିଛନ୍ତି। ତେଣୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ମୃତ ସୁମତୀକୁ ନ୍ୟାୟ ପ୍ରଦାନ କରାଯାଉ। ଅନ୍ୟପଟେ ଯୁବକ ସୁବ୍ରତଙ୍କ ପରିବାର ଲୋକଙ୍କ କହିବାନୁସାରେ, ରବିବାର ରାତିରେ ସମସ୍ତେ ଖାଇପିଇ ଘରେ ଶୋଇଥିଲେ। ହେଲେ ସୋମବାର ସକାଳେ ସୁବ୍ରତ ଓ ସୁମତି ତାଙ୍କ ଘର କବାଟକୁ ବହୁ ଡେରି ଯାଏଁ ଖୋଲି ନଥିଲେ। ଫଳରେ ପରିବାର ଲୋକେ କବାଟ ଖୋଲିବାରୁ ଉଭୟଙ୍କ ମୃତଦେହ ଦେଖି କୁମ୍ଭାରବନ୍ଧ ଫାଣ୍ଡିକୁ ଖବର ଦେଇଥିଲେ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏନେଇ ପଚାରିବାରୁ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ପରି ଜଣାପଡୁଥିବାବେଳେ ଯୁବତୀଙ୍କ ପରିବାରବର୍ଗର ଅଭିଯୋଗ ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ ବୋଲି କହିଛନ୍ତି।

ପ୍ରକାଶଯୋଗ୍ୟ, ସୁବ୍ରତ ଓ ସୁମତିି ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ଫଳରେ ଉଭୟଙ୍କ ବିବାହ ପ୍ରସ୍ତାବ ସାମାଜିକ ପ୍ରଥା ଅନୁସାରେ ଆଗକୁ ବଢ଼ିଥିଲା। ହେଲେ ଉଭୟଙ୍କ ଜାତକ ମେଳଣ ନହେବାରୁ ପରିବାର ଲୋକେ ଏହି ବିବାହ ପାଇଁ ଅରାଜି ହୋଇଥିଲେ। ପରେ ସୁବ୍ରତଙ୍କ ପରିବାର ଅନ୍ୟତ୍ର ଝିଅ ଦେଖି ଆସନ୍ତା ମେ’ ମାସ ୩ ତାରିଖରେ ତାଙ୍କ ବିବାହ ସ୍ଥିର କରିିଥିଲେ। ହେଲେ ରବିବାର ସୁବ୍ରତ ସମ୍ବଲପୁର ଗୁମକାରମାରୁ ସୁମତିକୁ ନେଇ ଆସି ନିଜ ଘରେ ପହଞ୍ôଚଥିଲା। ଝିଅର ପରିବାର ଲୋକେ ମଧ୍ୟ ସୁବ୍ରତଙ୍କ ଘରକୁ ଆସିଥିଲେ। ଏନେଇ ଆପୋଷ ବୁଝାମଣା ପରେ ସୁବ୍ରତ ଓ ସୁମତିର ବାହାଘର କରାଇବା ପାଇଁ ଉଭୟଙ୍କ ପରିବାର ଲୋକେ ରାଜି ହେବା ସହ ଝିଅକୁ ସୁବ୍ରତ ଘରେ ଛାଡ଼ି ସମ୍ବଲପୁର ଫେରି ଯାଇଥିଲେ। ରବିବାର ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ।ହେଲେ ସୋମବାର ଦିନ ସୁବ୍ରତ ଓ ସୁମତି କବାଟ ନଖୋଲିବାରୁ ଘରଲୋକେ କବାଟ ଖୋଲିବା ବେଳକୁ ଉଭୟ ଗୋଟିଏ ଦଉଡ଼ିରେ ଝୁଲୁଥିବା ଦେଖି ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ କୁମ୍ଭାରବନ୍ଧ ଫାଣ୍ଡି ଅଧିକାରୀ ଲକ୍ଷ୍ମିନ୍ଦର ପାତ୍ର, ମାଜିଷ୍ଟ୍ରେଟ ଦାୟିତ୍ୱରେ ଲଖନପୁର ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ରାଏ ଓ ସାଇଣ୍ଟିଫିକ୍ ଦଳ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।