ଦେବଗଡ଼,ଏନ୍ଏନ୍ଏସ୍ : ବନ୍ଧୁତା, ପ୍ରେମ, ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା କରିଥିବା ପ୍ରେମିକ ଗଲା ଜେଲ। ପୁଲିସ ସୂତ୍ରରୁ ମିଳିଥିବା ରିପୋର୍ଟ ମୁତାବିକ, ଅନୁଗୁଳ ଜିଲ୍ଲାର ଜଣେ ୨୩ ବର୍ଷୀୟା ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରୀ ବସ ଯୋଗେ କଲେଜ ଯିବା ସମୟରେ ଦେବଗଡ଼ ପୌରାଞ୍ଚଳ ମ୍ୟୁନିସିପାଲଟି ସାହିର ଡିଲେଶ୍ୱର ପ୍ରଧାନଙ୍କ ପୁଅ ତୁଷାରକାନ୍ତ ପ୍ରଧାନ(୨୫)ଙ୍କ ସହ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ବନ୍ଧୁତାର ସୁଯୋଗରେ ତୁଷାର ବାରମ୍ବାର ଫୋନ ଯୋଗେ ଛାତ୍ରୀ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏହି କ୍ରମରେ ଗତ ୨୦୧୯ ମସିହା ଅଗଷ୍ଟ ୨ ତାରିଖରେ ତାଙ୍କ ଜନ୍ମଦିନ ପାଳନ ପାଇଁ ତୁଷାର ରହୁଥିବା ନିଜ ରୁମକୁ ବାନ୍ଧବୀ ଛାତ୍ରୀ ଜଣକୁ ଡାକିଥିଲେ। ସେଠାରେ ତୁଷାର ବାନ୍ଧବୀଙ୍କ ଅନିଚ୍ଛା ସତ୍ୱେ ବଳପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ପରେ ଛାତ୍ରୀ ଜଣକ ତୁଷାରଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିବାରୁ ତୁଷାର ଗତ ୨୦୨୦ ମସିହା ଡିସେମ୍ବର ୧୦ ତାରିଖରେ ଏକ ନୋଟାରୀ ଷ୍ଟାମ୍ପ ପେପରରେ ଛାତ୍ରୀଙ୍କ ଦସ୍ତଖତ ନେଇ ତାଙ୍କୁ ବିବାହ କରିଥିବା ପ୍ରକାଶ କରିଥିଲେ। କିନ୍ତୁ ତାହା ସଂପୂର୍ଣ୍ଣ ମିଥ୍ୟା ଥିବା ଜାଣିବା ପରେ ପୀଡ଼ିତା ଜଣକ ସେଠାରେ ୧୦ଦିନ ରହିଥିଲେ। ଏହି ରହଣୀ ମଧ୍ୟରେ ତୁଷାର ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଳଜ କରିବା ସହ ମାଡ଼ ମାରିଥିଲେ। ସେହିପରି ତୁଷାର ପୀଡିତାଙ୍କୁ ନିଜ ଘରକୁ ନେବାକୁ କହି ଗାଡ଼ିରେ ଆଣି ଅନୁଗୁଳ ଜିଲ୍ଲାରେ ଥିବା ପୀଡ଼ିତାଙ୍କ ଗ୍ରାମ ନିକଟସ୍ଥ ଛକରେ ଛାଡ଼ି ଚାଲି ଯାଇଥିଲେ। ପୀଡ଼ିତା ଜଣକ ପ୍ରତାରଣାର ଶିକାର ହୋଇଥିବା ଜାଣି ନିଜ ଘରକୁ ଯାଇ ପରିବାର ଲୋକଙ୍କଠାରେ ସବୁ କଥା ପ୍ରକାଶ କରିଥିଲେ। ଝିଅଠାରୁ ସବୁ ଜାଣିବା ପରେ ପରିବାର ଲୋକେ ତାଙ୍କୁ ଧରି ଦେବଗଡ଼ସ୍ଥିତ ତୁଷାରଙ୍କ ଘରକୁ ଆସିଥିଲେ। ହେଲେ ସେଠାରେ ତୁଷାରକୁ ନପାଇ ଘଟଣା ସମ୍ପର୍କରେ ତୁଷାରଙ୍କ ବାପା ଡିଲେଶ୍ୱରଙ୍କୁ ଜଣାଇଥିଲେ। କିନ୍ତୁ ଡିଲେଶ୍ୱର ସେମାନଙ୍କୁ ଅଶ୍ଳିିଳ ଭାଷାରେ ଗାଳିଗୁଳଜ କରିବା ସହ ହତ୍ୟା ଧମକ ଦେଇ ଘରୁ ତଡ଼ି ଦେଇଥିଲେ। ଫଳରେ ନିରୁପାୟ ହୋଇ ପୀଡ଼ିତା ନିଜ ଘରକୁ ଚାଲି ଆସି ବହୁବାର ତୁଷାରକୁ ଫୋନ ଯୋଗେ ଯେଗାଯୋଗ ପାଇଁ ପ୍ରୟାସ କରିଥିଲେ ମଧ୍ୟ ସେ ଫୋନ ଉଠାଉ ନଥିବାରୁ ନିରାଶ ହୋଇ ବୁଧବାର ନ୍ୟାୟ ଆଶାରେ ଦେବଗଡ଼ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଉଭୟ ବାପ ପୁଅଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ତୁଷାରକୁ ଗିରଫ କରିଥିଲା।