କୟମ୍ବାତୁର ସାଉଥରୁ ନିର୍ବାଚନ ଲଢ଼ିବେ କମଲ ହାସନ

ଚେନ୍ନାଇ: ତାମିଲନାଡ଼ୁରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଫିଲ୍ମ ଅଭିନେତା କମଲ ହାସନ କୟମ୍ବାତୁର ସାଉଥରୁ ପ୍ରାର୍ଥୀ ହେବେ। କମଲ ଆଜି ନିଜ ପାର୍ଟି ମକ୍କଲ ନୀଧୀ ମଧ୍ୟମ (ଏମଏନଏମ)ର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ପୂର୍ବ ସହଯୋଗୀଙ୍କୁ ମଧ୍ୟ ପାର୍ଟି ପ୍ରାର୍ଥୀ କରିଛି। ଏମଏନଏମ ୨୩୪ ସିଟରୁ ୧୫୪ ସିଟରେ ପ୍ରାର୍ଥୀ ଛିଡ଼ା କରିବା ନେଇ ଘୋଷଣା କରିଛି । ରାଜ୍ୟରେ ଆସନ୍ତା ଏପ୍ରିଲ ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

ଏମଏନଏମର ସଂସ୍ଥାପକ କମଲ ହାସନ ଘୋଷଣା କରିଛନ୍ତି ଯେ, ଯଦି ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ତାଙ୍କ ପାର୍ଟି ବିଜୟ ହାସଲ କରେ ତା’ହେଲେ ୫୦ ଲକ୍ଷ ରୋଜଗାର ସୃଷ୍ଟି କରିବ। ସରକାରୀ ସେକ୍ଟରରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ମିଳିବ। ମହିଳାଙ୍କୁ ସୁରକ୍ଷା, ସାନିଟାରୀ ନେପକିନ ପ୍ରଦାନ, ସିଙ୍ଗଲ ମା’ଙ୍କୁ ସହଯୋଗ, ନିଶୁଳ୍କ ପ୍ରଜନନ ସ୍ୱାସ୍ଥ୍ୟ ଯାଞ୍ଚ ଆଦିର ହାସନ ପ୍ରତିଶ୍ରୁତି ଦେଇଛନ୍ତି।