ରାଗିଯାଇ ପ୍ରେମିକାକୁ ନିଆଁ ଲଗାଇ ପୋଡିଦେଲା ପ୍ରେମିକ

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ପୁରୁଷୋତ୍ତମପୁର ପ୍ରତାପପୁର ଗାଁର ଅଭାବନୀୟ ଘଟଣା। ବାହା ହେବା ପାଇଁ ଜିଦ୍ କରିବାରୁ ଯୁବତୀଙ୍କ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଲା ଯୁବକ। ମୃତ ଯୁବତୀ ଜଣଙ୍କ କବିସୂର୍ଯ୍ୟନଗର ଥାନା କଳମ୍ବ ଗ୍ରାମର। ସେହିପରି ଅଭିଯୁକ୍ତ ପ୍ରେମିକ ପ୍ରତାପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କୁ ଅଟକ ରଖାଯାଇଥିବା ପୁଲିସ ସୂଚନା ଦେଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ଖବର ଅନୁଯାୟୀ, ଗତକାଲି ଅପରାହ୍ନରେ ଯୁବତୀ, ଯୁବକଙ୍କୁ ପ୍ରତାପପୁର ନିକଟରେ ଥିବା ଅବ୍ୟବହୃତ ଫ୍ୟାକ୍ର୍ଟି ନିକଟକୁ ଡାକିଥିଲେ। ସେଠାରେ ଯୁବତୀ ଜଣଙ୍କ ବାହା ହେବା ପାଇଁ ଜିଦ୍ କରିବାରୁ ଯୁବକ ଜଣଙ୍କ ରାଗିଯାଇ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଯୁବତୀଙ୍କ ଚିତ୍କାର ଶୁଣି ପାଖ ବିଲରେ କାମ କରୁଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଲୋକମାନେ ଖବର ଦେବାପରେ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଡାକ୍ତରଖାନା ନେଇଥିଲେ। ଶରୀରର ପ୍ରାୟ ୮୦ ଭାଗ ଜଳି ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପୁରୁଷୋତ୍ତମପୁର ମେଡିକାଲ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି। କିନ୍ତୁ ମୃତ୍ୟୁ ପୂର୍ବରୁ ପୋଲିସ ଆଗରେ ବୟାନ ଦେଇଛନ୍ତି ସଂପୃକ୍ତ ଯୁବତୀ।

ଜଣେ ଯୁବକ ତାଙ୍କୁ ଜାଳି ଦେଇଥିବା କହିବା ସହ ସେ ଯୁବକଙ୍କ ଘର ପ୍ରତାପପୁର ବୋଲି କହିଥିଲେ। ଯୁବକଙ୍କ ମୋବାଇଲ୍‌ ନମ୍ବର ବି ଦେଇଥିଲେ। ମୋବାଇଲ୍‌ ନମ୍ବରକୁ ଟ୍ରାକ୍‌ କରି ପୁଲିସ ଚମ୍ପଟ ମାରିଥିବା ଅଭିଯୁକ୍ତ ଯୁବକ କୃଷ୍ଣ ସାହୁଙ୍କୁ କେଶପୁରରୁ କାବୁ କରିଛି। ଏଥିସହ ଯୁବକ ଜଣଙ୍କ ବ୍ୟବହାର କରିଥିବା ବାଇକ୍‌ ଜବତ କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଯୁବତୀଙ୍କୁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା, ହେଲେ ସେଠାରେ ଯୁବତୀଙ୍କ ମୃତ୍ୟୁ ହୋଇଛି।