ବାରବାଙ୍କୀରେ ବଡ଼ଧରଣର ସଡ଼କ ଦୁର୍ଘଟଣା: ବସ୍‌-ଟ୍ରକ ମୁହାଁମୁହିଁ, ୧୮ ଜଣ ମୃତ

ବାରବାଙ୍କୀ,ଏଜେନ୍ସି: ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲାରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଲଖନଉ-ଅଯୋଧ୍ୟା ଜାତୀୟ ରାଜପଥର ସଡ଼କ ପାର୍ଶ୍ୱରେ ଛିଡ଼ା ହୋଇଥିବା ଡବଲ ଡେକର ବସକୁ ଏକ ଟ୍ରକ ଶକ୍ତ ଧକ୍କା ଦେଇଥିଲା। ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ଅଛନ୍ତି।

ସଡ଼କ ଦୁର୍ଘଟଣା ନେଇ ପୁଲିସ କହିଛି ଯେ, ବସରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଚାଳକ ଏହାକୁ ରାତି ପ୍ରାୟ ୮ଟାର ସଡ଼କ ପାର୍ଶ୍ୱରେ ଛିଡ଼ା କରିଥିଲେ ଏବଂ ବିଳମ୍ବିତ ରାତି ପ୍ରାୟ ୧୨ଟାରେ ପଛପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ବସକୁ ଧକ୍କା ଦେଇଥିଲା। ପୁଲିସ କହିଛି ଯେ, ବସଟି ହରିୟାଣାର ପଲୱାଲରୁ ବିହାର ଆଡ଼କୁ ଯାଉଥିଲା।

ବସ୍ ଦୁର୍ଘଟଣାରେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ସଡ଼କରେ ଭିଡ଼ ଲାଗି ରହିଛି। ଦୁର୍ଘଟଣା ପରେ ଏଡିଜି ସତ୍ୟନାରାୟଣ ସାବତ ହସ୍ପିଟାଲରେ ପହଞ୍ଚି ଆହତ ଲୋକଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଅବଗତ ହୋଇଛନ୍ତି।