ବେଆଇନ ଗଞ୍ଜେଇ ଚାଲାଣ ବେଳେ ୨ ଗିରଫ

ଦେବଗଡ଼,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ତେଲିମୁଣ୍ଡା-ଛତାବର ରାସ୍ତାରେ ପୁଲିସର ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ଯୁବକ ପୁଲିସ ହାତରେ ଧରା ପଡ଼ିଥିବା ଜଣାପଡିଛି। ସେମାନଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ସହ ଏକ ବାଇକକୁ ପୁଲିସ ଜବତ କରିବା ସହ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରିରେ ରିଆମାଳ ଥାନା ପୁଲିସ ଏସଆଇ ମାଗୁଣି ଚରଣ ଗଡ଼ନାୟକ କର୍ମଚାରୀଙ୍କ ସହ ତେଲିମୁଣ୍ଡା-ଛତାବର-କଙ୍କରଖୋଲ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡର ସୂଚନା କ୍ରମେ ସତୀଘାଟ ଡ୍ୟାମ ରାସ୍ତା ନିକଟରେ ଛକି ରହିଥିଲେ।

ଭୋର ପ୍ରାୟ ୪ଟା ସମୟରେ ୨ ଜଣ ଯୁବକ ଏକ ବାଇକ ଯୋଗେ ଏକ ଗଞ୍ଜେଇ ଭର୍ତ୍ତି ବସ୍ତାକୁ ଚାଲାଣ କରୁଥିବା ବେଳେ ପୁଲିସ ଯାଞ୍ଚରେ ଧରାପଡ଼ିଥିଲେ। ଏଥିସହ ପୁଲିସ ସେମାନଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲା। ଉଭୟ ଯୁବକ ବେଆଇନ ଗଞ୍ଜେଇ କାରବାର କରୁଥିବା ସ୍ୱିକାର କରିବା ପରେ ପୁଲିସ ସେମାନଙ୍କୁ ଗିରଫ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରିଥିଲେ। ଓଜନ ପରେ ୨୨ କେଜି ୪୫୫ ଗ୍ରାମ। ଗିରଫ ଅଭିଯୁକ୍ତ ମାନେ ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ଥାନା ଅନ୍ତର୍ଗତ ଆମ୍ବଝରି ଗ୍ରାମର କାର୍ତ୍ତିକ ସେଠୀଙ୍କ ପୁଅ ମନୋଜ ସେଠୀ(୩୨) ଓ ଦଶରୁ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା (୩୦) ବୋଲି ପୁଲିସ ସୂଚନା ଦେଇଛି।

ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ସେଠାରେ ଜାମିନ ନା ମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏସପି ରାଜକିଶୋର ପାଇକରାୟ ଜିଲ୍ଲାର ଦାୟିତ୍ୱ ନେବା ପରେ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଜିଲ୍ଲାରେ ବେଆଇନ ନିଶା କାରବାର, ଜୁଆ ଆଡ୍ଡା ଓ ଅପରାôଧକ କାର୍ଯ୍ୟକଳାପ ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା ସହ ଚଢ଼ଉ ଜାରି ରଖିଥିବାରୁ ଜନସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି।