ଶାରୀରିକ ସମ୍ପର୍କ ପରେ ପ୍ରତାରଣା କରି ପ୍ରେମିକ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପ୍ରଥମେ ପ୍ରେମ ପରେ ବିବାହର ପ୍ରତିଶ୍ରୁତି ଦେଇ ବଡ଼ମାଲ ଥାନା ଭୁର୍କାମୁଡ଼ା ଅଞ୍ଚଳର ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ପ୍ରତାରଣ କରିଥିବା ଅଭିଯୋଗରେ ଆଜି ବଡ଼ମାଲ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ସୁନ୍ଦରଗଡ଼ ଜିଲ୍ଲା ଲେଫରିପଡ଼ା ଥାନା ଅନ୍ତର୍ଗତ ଫୁଲଡୁଲି ଗ୍ରାମର ସ୍ୱର୍ଗତ ସୁଗ୍ରିବ ନାୟକଙ୍କ ପୁଅ ବିଟୁ ନାୟକ(୩୦) ବୋଲି ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ବିଟୁ ବଡ଼ମାଲ ଅଞ୍ଚଳରେ ଭଡ଼ା ଘରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ସେହି ସମୟରେ ଭୁର୍କାମୁଡ଼ାର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଯୁବତୀଙ୍କୁ ବାହା ହେବାର ପ୍ରତିଶ୍ରୁତି ଦେଇ ସେ ଶାରୀରିକ ସମ୍ପର୍କ ରଖିଥିଲେ। ଏବିଷୟରେ ଉଭୟଙ୍କ ଘର ଲୋକେ ଜାଣିବା ପରେ ବିଟୁ ଯୁବତୀ ଜଣକୁ ବାହା ହେବ କହି ନିଜ ଗାଁ ଫୁଲଡୁଲିକୁ ନେଇଥିଲା। ହେଲେ ସେଠାରେ ଯୁବତୀଙ୍କୁ ୪-୫ ମାସ ନିଜ ସହ ରଖି ଶାରୀରିକ ସମ୍ପର୍କ ରଖିବା ସତ୍ୱେ ବାହା ହୋଇ ନଥିଲା। ତେବେ ଯୁବତୀ ଜଣକ କେବେ ବାହା ହେବ ବୋଲି ବିଟୁକୁ ପଚାରିବାରୁ ସେ ତାଙ୍କୁ ପିଟିବା ସହ ନିର୍ଯ୍ୟାତନା ଦେଇଥିଲା। ଯୁବତୀ ଜଣକ କୌଶଳକ୍ରମେ ଗତ ୮ ତାରିଖ ଦିନ ନିଜ ଘରକୁ ପଲାଇ ଆସିଥିଲେ। ପରେ ଗତ ୧୩ ତାରିଖ ବଡ଼ମାଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ତଦନ୍ତ କରିବା ସହ ଗତକାଲି ବିଟୁକୁ ଫୁଲଡୁଲି ଗାଁରୁ ଗିରଫ କରି ଝାରସୁଗୁଡ଼ା ଆଣିଛି। ଏହାସହ ଉଭୟ ଯୁବତୀ ଏବଂ ବିଟୁର ଡାକ୍ତରୀ ମାଇନା ପରେ ଆଜି ବିଟୁକୁ କୋର୍ଟ ଚାଲାଣ କରିଛି।