ଠୁଙ୍ଗିଆଡ଼େରାରୁ ହରିଣ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼ ପୌରପରିଷଦ ଅନ୍ତର୍ଗତ ୨ନମ୍ବର ୱାର୍ଡ ଠୁଙ୍ଗିଆଡ଼େରା ଗ୍ରାମରୁ ଆଜି ସକାଳେ ଏକ ହରିଣକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ହରିଣଟି ନିକଟସ୍ଥ ଜଙ୍ଗଲରୁ ସକାଳେ ଗାଁକୁ ଆସିଥିବାବେଳେ କେତେକ କୁକୁର ତାକୁ ଗୋଡ଼ାଇବା ସହ କାମୁଡ଼ି ଦେଇଥିଲେ। ଏହି ସମୟରେ ଗାଁରେ ଖେଳୁଥିବା ଦାମୋଦର ବୁଦୁଲାଙ୍କ ପୁଅ ହରିଶ ବଦୁଲା(୧୧) ଓ କୋଶଲ ବୁଦଲା(୧୪) କୁକୁରଙ୍କୁ ତଡ଼ିବା ସହ ହରିଣକୁ ଉଦ୍ଧାର କରି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ରଜରାଜନଗର ବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇଥିଲେ। ପରେ ଠୁଙ୍ଗିଆଡେରାକୁ ବ୍ରଜରାଜନଗର ଫରେଷ୍ଟର ଗୌରାଙ୍ଗ ସାହୁ, ଜଗୁଆଳୀ ଧୀରେନ ଆଚାର୍ଯ୍ୟ, ସୁଦର୍ଶନ ଖଡ଼ିଆ ପହଞ୍ଚି ହରିଣକୁ ବେଲପାହାଡ଼ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଣୀ ଚିକିତ୍ସକ ସୁଧାଂଶୁ ଶେଖର ପଟେଲ ହରିଣର ଚିକିତ୍ସା କରିଥିଲେ। ଏବେ ହରିଣଟି ସୁସ୍ଥ ଥିବାବେଳେ ୭ ଦିନ ଯାଏଁ ଏହାକୁ ବନ ବିଭାଗର ତତ୍ୱାବଧାନରେ ରଖି ଚିକିତ୍ସା କରାଯିବ। ହରିଣଟି ସମ୍ପୂର୍ଣ୍ଣ ରୂପେ ଠିକ ହେବା ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଉଦ୍ଧାର ହୋଇଥିବା ହରିଣଟିକୁ ୧୧-୧୨ ବର୍ଷ ହୋଇଥିବ ବୋଲି ଅନୁମାନ କରାଯାଉଛି।