ମଣ୍ଡି ଅବ୍ୟବସ୍ଥା ଯୋଗୁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ବିଭିନ୍ନ ସେବା ସମବାୟ ସମିତିରେ ପଞ୍ଜୀକୃତ ଚାଷୀଙ୍କ ଧାନ ଯୋଗାଣ ବିଭାଗ କିଣୁ ନଥିବାବେଳେ ଚାଷୀ ପାଇଥିବା ଟୋକନର ସମୟ ଅବଧି ସମାପ୍ତ ହୋଇଯାଇଥିବାରୁ ଚାଷୀ ଧାନ ବିକ୍ରି କରି ନପାରି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଜିଲ୍ଲା କୃଷକ ସଂଘ ସଭାପତି ପ୍ରମୋଦ କୁମାର ଝାଙ୍କର ଓ ପ୍ରମୋଦ କୁମାର ନାୟକଙ୍କ ନେତୃତ୍ୱରେ ତିଳେଇବଣି ବ୍ଲକ ଅନ୍ତର୍ଗତ କେନ୍ଦେଇଝୁରି, ପାଳକୁଦର, ସଡ଼ୋ, କଂସର ଓ ଢୋଲପଡ଼ା ଅଞ୍ଚଳର ଶତାଧିକ ଚାଷୀ ଆଜି ପୂର୍ବାହ୍ନରୁ ଗୁଣ୍ଡେଇମରକ୍ଷ ଗ୍ରାମଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥ ଉପରେ ପାୱାରଟିଲର ଓ ଧାନ ବସ୍ତା ରଖି ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାରୋକ କରିଛନ୍ତି। ଉପରକ୍ତ ଅଂଚଳର ଚାଷୀଙ୍କ ଟୋକନର ପୁନଃ ନବୀକରଣ କରାଯାଇ ଧାନ କିଣା ନଯିବା ପର୍ୟ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଚାଷୀମାନେ ଜିଦ ଧରି ବସିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ସହସ୍ରାଧିକ ଯାନବାହାନ ଅଟକି ରହିଛି । ଖବର ଲେଖା ହେବା ଯାଏଁ ରାସ୍ତାରୋକ ଜାରୀ ରହିଥିବାବେଳେ କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନକାରୀ ଚାଷୀଙ୍କ ନିକଟକୁ ଆଲୋଚନା ପାଇଁ ପହଂଚି ନଥିବା ଜଣାପଡ଼ିଛି।

ସେହିପରି କଂଢଳ ସେବା ସମବାୟ ସମିତିର ପଞ୍ଜୀକୃତ ବହୁ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଥିବାରୁ ସେମାନେ ଧାନ ବିକ୍ରି କରି ପାରୁନାହାନ୍ତି। ଏନେଇ ଉକ୍ତ ଅଞ୍ଚଳର ଚାଷୀମାନେ ଗତ ୧୨ ତାରିଖରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଗୁହାରି କରିଥିଲେ। ମାତ୍ର କୌଣସି ସୁଫଳ ନ ମିଳିବାରୁ ଆଜି କଂଢଳ ସରପଞ୍ଚ ବିରଞ୍ଚି ବେହେରାଙ୍କ ନେତୃତ୍ୱରେ ବହୁ ଚାଷୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଆସି ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିବା ସହ ଏଥିରେ ବ୍ୟତିକ୍ରମ ହେଲେ ଉକ୍ତ ଅଞ୍ଚଳର ଚାଷୀମାନେ ଆସନ୍ତା ୨୬ ତାରିଖରେ କଂଢଳ ଗ୍ରାମଠାରେ ୧୨ଘଣ୍ଟିଆ ରାସ୍ତାରୋକ ଆନ୍ଦୋଳନ କରିବା ପାଇଁ ଲିଖିତ ଚେତାବନୀ ଦେଇଥିବା ଜଣାପଡ଼ିଛି।